STORYMIRROR

Subhrajita Subhadarshini

Abstract Inspirational

3  

Subhrajita Subhadarshini

Abstract Inspirational

ଏଇ ତ ଜୀବନ

ଏଇ ତ ଜୀବନ

1 min
104

ଜୀବନ...

ସୁନୀଳ ସମୁଦ୍ର ବେଳାଭୂମିର ଏକ ଆର୍ଦ୍ର ବାଲିଘର

ଅମାନିଆ ଢେଉର ମାଡ଼ରେ ସ୍ବପ୍ନର ଘରଟା

ନିଜର ସତ୍ତା ହରାଏ ସତ,

ମାତ୍ର ଘାତ ପ୍ରତିଘାତକୁ ଅତିକ୍ରମ କରି

ସଯତ୍ନେ ହାତରେ ଜାବୁଡିବାକୁ ହୁଏ ଭୂମିର ଅର୍ଦ୍ଧସିକ୍ତ ମାଟିକୁ

ଗଢିବାକୁ ପୁଣି ଏକ ନୂତନ ଘର,

ଶକ୍ତ ପ୍ରାଚୀର ପରି ଦୃଢ଼ ହେଇ ସାମ୍ନା କରିବାକୁ ହୁଏ

ଗର୍ଜନ କରି ଧାଇଁ ଆସୁଥିବା ସେ ଦୁଷ୍ଟ ଉର୍ମିର,

ଶେଷରେ ଯାଇ ଅନୁଭବ କରିହୁଏ ଜୀବନର ସୁସ୍ଵାଦ।


ଜୀବନ...

ଲୋକାଚ୍ଛନ୍ନ ଗାଁ ମେଳାର ଗୋଟିଏ ମନ୍ତ୍ରମୁଗ୍ଧକର ନାଟକ

ଅତି ପାଖରୁ ତାକୁ ନିରିଖେଇ ଦେଖିବାକୁ ହୁଏ

ଭୁଲ ଠିକର ହିସାବ କରିବାକୁ ହୁଏ

ବିବେକର କଥା ମାନି ସତ୍ ପଥରେ ଚାଲିବାକୁ ହୁଏ

ସ୍ନେହ ମମତାର ଜ୍ୱଳନ୍ତ ଉଦାହରଣ ପାଲଟି

ଅନ୍ୟ ପାଇଁ ନିଜ ଖୁସି ତ୍ୟାଗ ବି କରିବାକୁ ହୁଏ

ନାଟକଟି ମନକୁ ଛୁଇଁଗଲେ ନାମ ରହିଯାଏ ହୃଦୟରେ

ଅମର ହେଇଯାଏ ମୃତ୍ୟୁ କବଳିତ ଶରୀରର ଆତ୍ମା,

ଶେଷରେ ଯାଇ ଅନୁଭବ କରିହୁଏ ଜୀବନର ମହତ୍ତ୍ୱ।


ଜୀବନ...

ଅସଜଡ଼ା ବହିଥାକର ଖଣ୍ଡିଏ ପୁରୁଣା ପୁସ୍ତକ

କିଛି ପୃଷ୍ଠାରେ ଆନନ୍ଦ ତ କିଛିରେ ବିଷାଦ

ଅଭୁଲା କିଛି ସ୍ମୃତିକୁ ଭାଙ୍ଗ ଦେଇ ମନେ ରଖିବାକୁ ହୁଏ

କିଛି ଧାଡି ତଳେ ଗାର ଦେଇ ଖୁସି ହେବାକୁ ହୁଏ

ପ୍ରଥମ ଥରରେ ବୁଝା ପଡେନା ପୁସ୍ତକଟି

ଆଉ ଥରେ ପଢିବାକୁ ହୁଏ

ଭାବିବାକୁ ହୁଏ

ବୁଝିବାକୁ ହୁଏ,

ଶେଷରେ ଅନୁଭବ କରିହୁଏ

ସତରେ କେତେ ଦୁର୍ଲଭ ଏ ଜୀବନ!


ବାସ୍

ଏଇ ତ ଜୀବନ

ଏଇ ତ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract