ଏବେ ବି ବଞ୍ଚିଛି
ଏବେ ବି ବଞ୍ଚିଛି
ମୃତ୍ୟୁ ଦୁଃଖ ଦିଏ
ଏହା ହିଁ ଏକ ନଗ୍ନ ସତ୍ୟ
ମୃତ୍ୟୁ ବିଷୟରେ କେହି କେବେ କଥା ହୁଅନ୍ତି ନାହିଁ
ଜୀବନ ଉପରେ ସମସ୍ତଙ୍କ ଦୃଷ୍ଟି
କେତେ ଲୋକ ସମ୍ପୂର୍ଣ୍ଣ ଜୀବନ ଜୀଇଁ ପାରନ୍ତି ନାହିଁ
କିନ୍ତୁ ଆମେ ତୁମେ ଓ ମୁଁ
କେହି ମୃତ୍ୟୁକୁ ଠକି ପାରିବା ନାହିଁ
ଦିନେ ନା ଦିନେ ଆମ ସମସ୍ତଙ୍କ ପାଇଁ ମରଣ ଆସିବ
ଜଣେ ପ୍ରିୟ ଲୋକର ମୃତ୍ୟୁ ଦେଖିଥିବା ଲୋକକୁ ପଚାର
ସିଏ କଣ ତାର ଶେଷ ମୁହୂର୍ତ୍ତକୁ ଦେଖିଛି?
ସେହି ପ୍ରିୟ ଲୋକର ମୃତ୍ୟୁ ସହ
ସମସ୍ତ ସ୍ୱପ୍ନର ମୃତ୍ୟୁ ଘଟେ,
ଆଉ ଫେରେ ନାହିଁ.....
ଏକଲା ପଣ ଲେସି ହୋଇଥାଏ
ସେଇ ସବୁ ରାତିମାନଙ୍କ ସହ
ନୀରବ ଦୂରତ୍ୱରୁ
ସେମାନଙ୍କ ହଜି ଯାଉଥିବା
ସ୍ୱର ସବୁ ଶୁଭେ ....
ସବୁ କିଛି ଶେଷ ହୋଇଯାଏ,
କିଛି ବି ରୁହେନା....
କେବଳ ଯନ୍ତ୍ରଣାଦାୟକ ଅନୁଭବ
“ସେ ଆଉ ଫେରିବନି”
ଜଣେ ପ୍ରିୟ ଲୋକର ମୃତ୍ୟୁ ଦେଖିଥିବା ଲୋକକୁ ପଚାର
ତୁମକୁ ଛାଡି ଦିନଟିଏ ବଞ୍ଚିବା
ସ୍ମୃତି ଆଉ ଲୁହରେ ବଞ୍ଚୁଥିବା ବେଳେ
ସବୁ କେମିତି ଠିକ୍ ହୋଇଯିବ (?)
ସେଇ ସବୁ ଦିନ ଫେରି ଆସିବା ପାଇଁ
ମୁଁ କଣ ବା କରିପାରିବି ?
ଏଇ କିଛି କ୍ଷଣ ଆଗରୁ ତୁମେ ମୋ ପାଖରେ ଥିଲ
ଠିକ୍ ମୋ ପାଖରେ
ତୁମ ଆଙ୍ଗୁଠି ମୋତେ ଛୁଉଁଥିଲା
କିନ୍ତୁ ଠିକ୍ ପର ମୁହୂର୍ତ୍ତରେ
ମୋତେ ଛାଡି ବହୁତ ଦୂର,
ବହୁତ ଦୂରକୁ ଚାଲିଗଲ....
ମୋର ତୁମକୁ କିଛି କହିବାର ଥିଲା,
ଯେତେବେଳେ ମୁଁ ଆଖି ବନ୍ଦ କରେ
ତୁମେ ଆସି ଠିଆ ହୋଇଯାଅ,
ମୋ ଆଗରେ ମୁଁ ତୁମକୁ ଦେଖିପାରେ
ତୁମ ଚାରିପଟ ଆଲୋକର ବଳୟ ଭିତରେ
ମୁଁ ଅନ୍ଧ..... କିଛି ଦେଖିପାରେ ନାହିଁ....
କେବଳ ମୋ ପାଖରେ ତୁମକୁ ଆବିଷ୍କାର କରେ
ମୁଁ ତୁମକୁ ଅଟକେଇ ରଖିବାକୁ ଚେଷ୍ଟା କରେ
ମୋ ଆଖି ଖୋଲିଲେ
କେବଳ କିଛି ବୁନ୍ଦା ଲୁହ ଜକେଇ ଆସେ
ଏହା ହିଁ ସବୁ ଦିନ ଘଟୁଥାଏ .
ତୁମେ ଯିବା ଦିନ ଠାରୁ
ତୁମେ ଏବେ ବି ମୋ ଜୀବନରେ
ମୁଁ ଏବେ ବି ଜୀଇଁ ରହିଛି
କଣ ପାଇଁ ଭାବେ
ତୁମେ ମୋ ସ୍ମୃତିରେ ବଞ୍ଚିଛ
କେବେ ନ ମରିବା ପାଇଁ.....
ହାଂସଦା ଶୌଭେନ୍ଦ୍ର ଶେଖରଙ୍କ ଆଲିଭ୍ କବିତାର ଓଡିଆ ଅନୁବାଦ
ରମେଶ ଚନ୍ଦ୍ର ପାତ୍ର
