ଏବେ ଭିଜିବାର ବେଳ
ଏବେ ଭିଜିବାର ବେଳ
କେତେ ଇଚ୍ଛା ଥିଲା ଭିଜିଥାନ୍ତି ସଖୀ
ବରଷାରେ ତୁମ ସହ
ଛାତି ତଳେ ମୋର ବର୍ଷିଗଲ ତୁମେ
ଭିଜିଲାନି ମୋର ଦେହ I
ଝରକା ସେପାଖେ ବରଷା ସହିତ
ଦେଖିଲି ତୁମକୁ ଦିନେ
ବର୍ଷା ସହ ବର୍ଷା ହୋଇଗଲ ତୁମେ
ଭିଜିଲି ମୁଁ ମନେ ମନେ I
ଧିର ପଦ ଚାଳି ଣ୍ରାବଣ ଆସିଲା
ଗାଇଲା ବେସୁରା ଗୀତ
ତୁମ ସ୍ୱର ଭାବି ବରଷା ଆଡକୁ
ବଢାଇ ଦେଲି ମୁଁ ହାତ I
ଛୁଇଁ ପାରିଲିନି ତୁମକୁ ଲୋ ସଖୀ
ଶ୍ରାବଣ ଛୁଇଁଲା ମୋତେ
ତୁମରି ସ୍ୱରରେ ମୋ କାନେ କହିଲା
ପ୍ରେମର କାହାଣୀ କେତେ I
ତୁମେ ଯେଉଁପରି ଚଗଲି ଲୋ ସଖୀ
ଶ୍ରାବଣ ବି ଉଣା ନୁହଁ
ଡାକିଦେଲେ ମୋତେ ଶ୍ରାବଣ ନୁହେଁ ଲୋ
ଦିଶିଯାଏ ତୁମ ମୁହଁ I
ଶ୍ରାବଣ ନୁହେଁ ଲୋ ତୁମେ ଭିଜାଇଲ
ଲାଜେଇ ଗଲା ମୋ ମନ
ଦେହରେ ଆସିଲା ଖଇଫୁଟା ତାତି
ଶୁଭିଗଲା ବଂଶୀସ୍ୱନ I

