ଏ ମନେ ନାଚେ ଭାବନାର ଲହରୀ
ଏ ମନେ ନାଚେ ଭାବନାର ଲହରୀ
ଏ ମନଟା କେବେ ମରୁର ମରୁଭୂମି
କେବେ ପୁଣି ଫଗୁଣର ଫୁଲଫୁଟା ବଗିଚା
ଋତୁ ପରି କ୍ରମଶଃ ବଦଳୁଥାଏ
ପବନ ପରି ବି ଦିଗ ବଦଳାଏ ଅନିୟମିତ
ରହେନା ନିଜେ ନିଜ ନିୟନ୍ତ୍ରଣରେ l
ଚାହେଁ ସବୁବେଳେ ରହିବାକୁ ସ୍ଵାଧୀନ ସ୍ବତନ୍ତ୍ର
ଏ ମନଟା ଗୋଟିଏ ଗଛର ଏକ ଡାଳେ
ବସା ବାନ୍ଧି ରହିବାକୁ ଇଚ୍ଛା କରେନା
କି କାହାର ପୋଷା ମାନି ସୁନାର ପଞ୍ଜୁରୀରେ l
ହାତ ଟେକା ଖାଇବାକୁ ଆଶା ରଖେନା
ସେ ମୁକ୍ତ ଆକାଶର ଉଡ଼ନ୍ତା ପକ୍ଷୀ ପରି
ଥକି ନ ପଡ଼ିବା ଯାଏଁ ସେ ଆଶ୍ରା ଖୋଜେନା
ନେବାକୁ ବିଶ୍ରାମ କରିବାକୁ ଆରାମ l
ମନର ସ୍ଵଭାବ ଅସ୍ଥିର ଅଧିର ଚଳ ଚଞ୍ଚଳ
ସଫଳତାରେ ହୁଏ ଭାବ ବିହ୍ଵଳ
ବିଫଳତାରେ ହୋଇପଡ଼େ ଶଙ୍କାକୁଳ
ସାଗରରୁ ବେଶି ତାର ଗଭୀରତା l
ସ୍ଥିର କରି ହୁଏନା ଯା'ର ନିର୍ଦ୍ଧିଷ୍ଟ ଥଳକୂଳ
ଆକାଶଠାରୁ ହୁଏ ସେ ଅଧିକ ବିସ୍ତାରିତ
ମାପି ହୁଏନାହିଁ ତାର ଦୈର୍ଘ୍ୟ ପ୍ରସ୍ଥର ଦୂରତା
ଏ ମନଟା ଦ୍ରୁତ ଗତିଶୀଳ ନଈର ସ୍ରୋତ l
ମାନେନା ବାଧା କି ବନ୍ଧନ କିଛି ବି
ନାଚୁଥାଏ ସଦା ଭାବନାର ଅସରନ୍ତି ଲହରୀ
ଆପଣା ଇଚ୍ଛାରେ ରହିଥାଏ କ୍ରିୟାଶୀଳ
ଏ ମନଟା ଖୋଜୁଥାଏ ତାର ଇପ୍ସିତ କିଛି l
ନ ପାଇବା ଯାଏଁ ହେଉଥାଏ ବ୍ୟସ୍ତ ବ୍ୟାକୁଳ
ଏ ମନରେ ଥିଲେ ସ୍ଵାର୍ଥର ଆବିଳତା
ନିୟନ୍ତ୍ରଣ ହରାଇ ଚଳାପଥେ ହୁଏ ବାଟବଣା
ପବିତ୍ର ହୃଦୟ ଭିତରେ ମନ ଥିଲେ ନିର୍ମଳ l
ସଚେତନତାର ସହିତ କରେ ଶୁଦ୍ଧ ଚିନ୍ତନ
ଗଢ଼ିବାକୁ ସରସ ସୁନ୍ଦର ଏକ ଜୀବନ
ତାର ଆସି ଯାଏ ଅତୁଟ ଆତ୍ମଭରସା ବିଶ୍ଵାସ
ତା' ପାଇଁ ଭାବରେ ଅଭାବ ନଥାଏ କେଉଁଟା
ବୁଝିପାରେ ଠିକ୍ କ'ଣ ତାର ଏ ମନଟା ?