"ଏ ଜୀବନ ସମୟର ଦାସ "
"ଏ ଜୀବନ ସମୟର ଦାସ "


ଏ ଜୀବନ ସମୟର ଦାସ
କେବେ ହସେ କେବେ କାନ୍ଦେ
ସ୍ବପ୍ନ ଦେଖେ କେତେ ଛନ୍ଦେ
ଥକି ପଡେ ଚାଲୁ ଚାଲୁ
ନେଇ କେତେ ଆଶା ଅବଶୋଷ
ଏ ଜୀବନ ସମୟର ଦାସ l
ସୁଖ-ଦୁଃଖ ହସ-କାନ୍ଦ
ଅଭିମାନ ଭଲ-ମନ୍ଦ
ଋତୁ ଚକ୍ର ପରି ସଦା ବଦଳାଏ ବେଶ
ଏ ଜୀବନ ସମୟର ଦାସ l
ଭାବନାର ପଥେ ପଥେ
ହଜିଯାଏ କେବେ ସତେ
କରିବାକୁ ଏକାକାର ପୃଥିବୀ ଆକାଶ
ଏ ଜୀବନ ସମୟର ଦାସ l
ଇର୍ଷା ଆଉ ଅହଂକାରେ
ଦମ୍ଭ ଆଉ ଗରବରେ
ନିଜ ବାହୁବଳେ ବାନ୍ଧେ ନିଜ ପାଇଁ ନାଗଫାସ
ଏ ଜୀବନ ସମୟର ଦାସ l
ସମ୍ପର୍କର ମୁଖାତଳେ
ଲୁଚି ଲୁଚକାଳି ଖେଳେ
ନିଜ ସ୍ୱାର୍ଥ ଲାଗି କରେ ଅନ୍ୟର ଯେ ସର୍ବନାଶ
ଏ ଜୀବନ ସମୟର ଦାସ l
କେତେ ପ୍ରାଣ ପାଦେ ଦଳି
ନିରୀହକୁ
ଦେଇ ବଳି
ସ୍ବପ୍ନ ଦେଖେ ତୋଳିବାକୁ ସୁନାର ଉଆସ
ଏ ଜୀବନ ସମୟର ଦାସ l
ଭୁଲି ହିତା ହିତ ଜ୍ଞାନ
କଳଙ୍କର ଅପମାନ
ଚାହୁଁ ଚାହୁଁ ଭରିଦିଏ ବିଶ୍ୱାସରେ ବିଷ
ଏ ଜୀବନ ସମୟର ଦାସ l
ଧର୍ମ-ନ୍ୟାୟ ମମତାର
ମାରି ସଦା ଆଖି ଠାର
ଦୁନିଆକୁ ଲୁଟିବାକୁ କରଇ ପ୍ରୟାସ
ଏ ଜୀବନ ସମୟର ଦାସ l
ତଥାପି ତ ଯାଏ ଭୁଲି
ଏ ସଂସାର ଗତି ଚାଲି
କେଉଁଠୁ ଆରମ୍ଭ ପୁଣି କେଉଁଠାରେ ଶେଷ
ଏ ଜୀବନ ସମୟର ଦାସ l
ରକତ ମାଉଁସ ଭରା
ହାଡ ଚର୍ମ ସବୁ ପରା
ମଶାଣି ଭୂଇଁରେ ହେବ ମୁଠାଏ ପାଉଁଶ
ଏ ଜୀବନ ସମୟର ଦାସ l
ସମୟ ତ ବଳବାନ
କେହି ନୁହେଁ ତା ସମାନ
ତା ଚକ୍ରବ୍ୟୁହ ପଡି ବାଘ ଖାଏ ଘାସ
ଏ ଜୀବନ ସମୟର ଦାସ l