ଦୁନିଆ କହୁଛି
ଦୁନିଆ କହୁଛି
ଦୁନିଆ କହୁଛି
*************
ତୁମେ ବଞ୍ଚିବା ଶିଖିଛ
ଲୁହକୁ ଆପଣାର କରି
କିଛି ଟୋପା ଲୁହ ପିଇ
କିଛି ଟୋପା ଲୁହ ଢାଳି |
ତୁମେ ମୋତେ ହସାଇଛ
ନୂଆ ଦୁନିଆ ବି ଦେଖାଇଛ
ଅଥଚ ତୁମ ଲୁହର ମୂଲ ନବୁଝି
ଦୁନିଆ କରୁଛି ମୋ ହସର ମୂଲ|
କିଏ ବା କେମିତି ଜାଣିବ
ମୋ ଓଠର ପ୍ରତିଟି ହସରେ
ତୁମ ଲୁହ ହିଁ ରହିଛି
ଜୀବନବ୍ୟାପି ଏ ସାଧନାକୁ
ତୁମ ଜୀବନର ଏ ଉତ୍ସର୍ଗ କୁ
ତୁମେ ହାରିଗଲ ହାରିଗଲ ବୋଲି
ଏବେ ଦୁନିଆ କହୁଛି |
ଦୁନିଆ ବୁଝୁ କି ନବୁଝୁ
ଲୁହର ମୂଲ ମୁଁ ବୁଝିଛି
ତୁମ ଆଖିର ଲୁହ ସବୁ ମୁକ୍ତାପରି
ମୋ ହୃଦୟରେ ସାଇତା ରହିଛି |
ତୁମ ଲୁହଧାର ଏକ ନଈ
ସେ ନଈରେ ମୋ ମନର
ସବୁ ଆବର୍ଜନା ଯାଇଅଛି ବୋହି |
ମୋ ସୁଖ ଦେଖିବା ପାଇଁ
ମୋ ଜୀବନକୁ ଗଢି ଦେଲ
ତୁମ ଜୀବନକୁ ଜାଳିଦେଲ ସଳିତା କରି,
ଲୁହରେ ଲୁହରେ ଲହୁ ଢାଳି
ହୃଦୟରେ ସବୁଦିନ ରହିଗଲ
ପୂଜା ଫୁଲଟିଏ ହୋଇ|
ତୁମେ ମୋର ପ୍ରୀତି ଫୁଲ
ଜୀବନର ଚମ୍ପାଫୁଲ
ଆଖିର ସ୍ବପ୍ନ ମୋର
ମୋ ଆକାଶର ଜହ୍ନ |
ତୁମ ବିନା ବଞ୍ଚିବା ଶିଖି ନାହିଁ
ମରିବା ବି ଜାଣି ନାହିଁ
ପ୍ରାଣର କପୋତୀ ମୋର
ଏକା ଏକା ଲୁହ ଢାଳ ନାହିଁ
ତୁମେ ଅଛ ମୋ ଛାତି ତଳେ
ମୋ ହୃଦୟ ଝୁରୁଛି ନିତି|
ଏ ଦୁନିଆ ଦେଖେନା କେବେ
କାହା ଲୁହର ଉଜାଣି ଯମୁନା
ବୁଝେନା କେବେ ବି
କାହାର କେତେ ଯେ ବେଦନା |
ଜାଣିଛି ସାଗର ଠିକଣାରେ
ତୁମେ ଏକ ଲୁହମତି ନଈ
ତୁମ ଲୁହ ସବୁ କହେ
ହସ କାନ୍ଦ ଜୀବନର କଥା
ବୁଝିପାରେନି କିନ୍ତୁ ଦୁନିଆ
ପ୍ରେମର ଏ ସବୁ ନିରବ ଭାଷା |
ଲୁହ ସବୁ ମୁକ୍ତା ହୋଇ
ମୋ ପାଇଁ ଝରିଛି
ଦୁନିଆ କିଛି ନବୁଝି
ସେ ହାରିଗଲା ହାରିଗଲା କହୁଛି
ଅସଲରେ ମୋ ଜିତିବାରେ
ତାଙ୍କର ହିଁ ଜିତ ହୋଇଛି |
*********************

