STORYMIRROR

Alekha Pasad Moharana

Inspirational

4  

Alekha Pasad Moharana

Inspirational

ଦୁଇଟି ଅକ୍ଷର

ଦୁଇଟି ଅକ୍ଷର

1 min
170

ଦୁଇଟି ଅକ୍ଷର ଅତୀବ ମଧୁର

ଖୁବ ମନଛୁଆଁ ଲାଗେ

ସେ ମୋର ସରଗ ସେ ମୋର ଧରମ

ସୃଷ୍ଟି ଦାତା ମୋର ଭବେ ।


ଦୁନିଆକୁ ଦେଖେ ଦୁନିଆରୁ ଶିଖେ

ତାଙ୍କରି ପାଇଁ ମୁଁ ନିତି

ସେନେହ ସରାଗ ମମତା ସୋହାଗ

ଭାବନାରେ ସିକ୍ତ ମତି ।


ହାତ ଧରି ମୋତେ ସମାଜ ଦାଣ୍ଡରେ

ଚାଲିବାର ରାହା ଦେଲେ

କାନେ କାନେ ମୋର କହିଲେ ପିଅର

ମାନିଲେ ବଂଚିବୁ ଭଲେ ।


ଖଡ଼ି ଧରି ମୋତେ ସିଲଟରେ କେତେ

ଲେଖି ପଢ଼ାଇଲେ ବାପା

ଅଝଟ ହୋଇଲେ କାହାଣୀ କୁହନ୍ତି

କାଳେ ହେବି ନାହିଁ ଖପା ।


ଅବୁଝା ହୋଇଲେ କାନ ମୋଡ଼ିଦେଇ

ବୁଝାଇ ଦିଅନ୍ତି କେତେ

ଭୁଲ ଅବା ଠିକ କହିଦେଉଥିଲେ

ହସି ହସି ମୋତେ ସତେ ।


ଭୁଲିନାହିଁ କେବେ ଭୁଲିବିନି ଲବେ

ବଞ୍ଚିଥିବା ଯାଏ ମୁହିଁ

ତ୍ୟାଗ ପୁତ ସେବା ମୋ ପାଇଁ ଅଲିଭା

କେତେ କାଳ କାଳ ପାଇଁ ।


ବାପା ମୋ ବିଭବ ବାପା ମୋ ଗୌରବ

ବାପା ମୋର ଯଶ ମାନ

ଅକ୍ଷରେ ଅକ୍ଷରେ ଗାଇବି ମୁହିଁରେ

 ଆଦର୍ଶର ଜୟଗାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational