STORYMIRROR

Birakishore Nayak

Tragedy

4  

Birakishore Nayak

Tragedy

ଦୁଇଧାର ଲୁହ

ଦୁଇଧାର ଲୁହ

1 min
237


ଆଖି କହିଥାଏ ହୃଦୟର ଭାଷା

     ଖୁସି ପରିସ୍ଫୁଟ ହୁଏ,

ହୃଦୟ ବେଦନା ବହିଯାଇଥାଏ

     ହୋଇ ଲୁହ ଦୁଇଧାର |


ଅତି ଆନନ୍ଦର ପରିପ୍ରକାଶରେ

      ନୟନ ତ ଯାଏ ଭିଜି,

ସମବେଦନାର ଅକୁହା ଭାଷା ଯେ

      ଅଶ୍ରୁଧାରେ ଥାଏ ଲୁଚି |


ଜୀବନେ ଏମିତି ଆସିଥାଏ ଦୁଃଖ 

     ଯାହା ସହି ହୁଏ ନାହିଁ,

କହି ହୁଏ ନାହିଁ କାହାରି ଆଗରେ

      ଲୁହ ହୋଇ ଯାଏ ବହି |


ଆଖି ଭରେ ପ୍ରୀତି ଗାଇ ମଧୁଗୀତି

     ମିଳନର ସ୍ୱର ତୋଳେ,

ଧୋକା ଯେବେ ଆସେ ହାରିବାର ଦୁଃଖ

     ବହିଯାଏ ଅଶ୍ରୁ ଜଳେ |


ଜୀବନେ ଆସଇ ଅନେକ କାହାଣୀ

     ସାକ୍ଷୀହୁଏ ଆଖିଲୁହ,

ବେଦନାରେ ସିକ୍ତ ଅତୀତର ସ୍ମୃତି

     ଯେବେ ଭରିଥାଏ କୋହ |


ବିପଦର ଝଞ୍ଜା ମାଡିଆସେ ଯେବେ

     ଜୀବନ ହୁଏ ଅଧୀର,

ନିରୁପାୟ ମନ ନୀରବିତ ହୋଇ

     ବୁହାଏ ତ ଲୁହ ଧାର |


ବିନା କାରଣରେ କଳଙ୍କ କାଳିମା

     ଯାହାଠାରେ ବୋଳାହୁଏ,

ନିଷ୍କଳଙ୍କ ଦୁଇ ଆଖିରୁ ତାହାର

     ଯନ୍ତ୍ରଣାର ଲୁହ ବହେ |


ବେଳେ ବେଳେ ଯଦି କେହି ଅବାଟରେ

     ଯାଏ ଚାଲି ଅଜାଣତେ,

ପରିଣାମ ତାର ଭୋଗିବାକୁ ହୁଏ

     ଝରା ଆଖିଲୁହ ସ୍ନାତେ |


ଜନମ ମରଣ ସଂସାର ର ରୀତି

      ଦେଖୁଛି ମଣିଷ ନିତି,

ତଥାପି ନିଜର ଜନେ ହରାଇଲେ

      ଆଖି ଲୁହେ ଯାଏ ତିନ୍ତି |


ଶିଶୁ ଲୁହେ ଭରି ରହିଥାଏ ଅଳି

     ସେ ଲୁହେ ଥାଏ ଯେ ହସ,

ସଭିଙ୍କ ଜୀବନେ ଅନୁଭବ ଆସେ

      ଆଖି ଲୁହର ବୈଶିଷ୍ଟ୍ୟ |






      



      


Rate this content
Log in

Similar oriya poem from Tragedy