ଦୁଇ ଧାର ଲୁହ
ଦୁଇ ଧାର ଲୁହ
ବନ୍ଦୀ କାରାଗାରେ
ଭ୍ରାତା କଂସ ଡରେ
ଚାପି ରଖି ଥିଲେ କୋହ,
ଭାଗ୍ୟ ଜାଣି ଭୀରୁ
ଦେବକୀ ଆଖିରୁ
ଝରେ ଦୁଇ ଧାର ଲୁହ ।
ଜଣ ଜଣ କରି
ସାତ ଗଲେ ମରି
ଛାଡ଼ି ଗଲା ପୁତ୍ର ମୋହ ,
ଅଷ୍ଟମ ସନ୍ତାନ
ଦେଖିଲା ନୟନ
ଢାଳେ ଦୁଇ ଧାର ଲୁହ ।
ଯମୁନାକୁ ଡେଇଁ
ଦେବକୀର ସାଇଁ
ଯାଉ ଥିଲେ ପୁତ୍ର ସହ ,
ଦେଖି ଉଗ୍ରସେନ
କରିଲେ କ୍ରନ୍ଦନ
ଝରେ ଦୁଇ ଧାର ଲୁହ ।
ନିଦ୍ରାରେ ଯଶୋଦା
ଚଳିଲେ ବରଦା
ଦେଖି ଆଗମନେ ଇହ ,
କନ୍ୟା ନୁହେଁ ପୁତ୍ର
ଦେଖି ନନ୍ଦ ନେତ୍ର
ଢାଳେ ଦୁଇ ଧାର ଲୁହ ।
ଶୁଣି ଅଭିଯୋଗ
ଚଢ଼ି ଯାଏ ରାଗ
ମାତା ଭୁଲେ ପୁତ୍ର ସ୍ନେହ ,
ଦେଖି ଗୋପବାସୀ
ନୟନରୁ ଖସି
ପଡ଼େ ଦୁଇ ଧାର ଲୁହ ।
ପ୍ରେମରେ ବାୟାଣୀ
ରାଧା ଗୋପାଳୁଣୀ
କଳଙ୍କେ ମାଜିଲେ ଦେହ ,
ନବୁଝିଲେ ମନ
ଦେବକୀ ନନ୍ଦନ
ଝରେ ଦୁଇ ଧାର ଲୁହ ।
ଦେଖି ଖୁଦ ଭଜା
ଦ୍ବାରିକାର ରାଜା
ସମ୍ଭାଳି ନପାରି ମୋହ ,
ବନ୍ଧୁ ବୋଲି କହି
ନେବାରୁ କୋଳେଇ
ଝରେ ଦୁଇ ଧାର ଲୁହ ।
ଦ୍ରୌପଦୀ ର ମାନ
ଟାଣେ ଦୁଃଶାସନ
ସଖା ଥିଲେ କାହିଁ କହ ,
ବସ୍ତ୍ର ଦେଲେ ଯେଣୁ
ଝରିଲା ନୟନୁ
ଆପେ ଦୁଇ ଧାର ଲୁହ ।
ଧରମର ଜୟ
ପୂଣ୍ୟର ଅକ୍ଷୟ
କହି ଦେଲେ କିଳି ଦେହ,
ମାତା ତୁ ମହାନ
କହେ ଦୁର୍ଯ୍ୟୋଧନ
ପୋଛି ଦୁଇ ଧାର ଲୁହ ।
କୁରୁକ୍ଷେତ୍ର ରଣେ
ଶରର ଶୟନେ
ଗଙ୍ଗା ପୁତ୍ର ପିତାମହ ,
ମୃତ୍ୟୁ ନେଲେ ବରି
ଆଜ୍ଞା ଦେଲେ ହରି
ଦେଖି ଦୁଇ ଧାର ଲୁହ ।
ଧର୍ମ କ୍ଷେତ୍ର ଦାଣ୍ଡ
ମାଳ ମାଳ ମୁଣ୍ଡ
କୁଢ଼କୁଢ଼ ଶବ ଦାହ ,
ସଧବା ବିଧବା
ଢାଲୁ ଥିଲେ ଯୁବା
ନେତ୍ରୁ ଦୁଇ ଧାର ଲୁହ ।
ଭକ୍ତିରେ ମୁକ୍ତିରେ
ଅତି ଆସକ୍ତିରେ
ଅବା ରୋଗାକ୍ରାନ୍ତ ଦେହ,
ସୁଖରେ ଦୁଃଖରେ
ଶୋକରେ ଭୋକରେ
ଝରେ ଦୁଇ ଧାର ଲୁହ ।