STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଦୁହିତା

ଦୁହିତା

1 min
382

ଯୋଡିଦିଏ ସେତୁ ଗୋଟିଏ କୂଳରୁ

ଆଉ ଏକ କୁଳ ଯାଏଁ,

ପଶାପାଲି ପରେ ଗୋଟିଟିଏ ହୋଇ

ନିଜକୁ ସେ ସମ୍ପି ଦିଏ। 


ସାମାଜିକ ଏକ ଦାୟିତ୍ୱ ଛଳରେ

ଏ କୁଳ ବିଦାୟ ଦିଏ,

ପରମ୍ପରାଦିର ତପ୍ତ ଚଟାଣରେ

ସେ ଫୁଲ ମଉଳି ଯାଏ। 


କେତେ ଝଡ଼ଝଞ୍ଜା ବିରୋଧୀ ପବନେ

ଓଢଣୀ ତା ଯାଏ ଚିରି,

ପଥର ପଡ଼ିଲେ ସହିବାକୁ ହେବ

ଏହି ତା ଜୀବନ ଶିରୀ।


ସହିନିଏ ବୋଲି ଆଦର ପାଏ ସେ

କହେନାହିଁ ବୋଲି ହିତା,

ବହୁ ଅଭିମାନ ସମ୍ଭାଳେ ସେ ଛାଡ଼ି

ନିଜ ସ୍ୱାଭିମାନ ଚିନ୍ତା।


ଦୁଇକୁଳର ସେ ହିତାକାଂକ୍ଷୀ ହୋଇ

ଭୁଲିଯାଏ ନିଜ ହିତ,

ନିଜ ହିତ ପାଇଁ ପାଟି ଖୋଲେ ଯେବେ

ହୁଏ ସେ ଅପ୍ରିୟ ସତ।


ଆଦରି ନିଏ ସେ ଏକୁଳ ସେକୁଳ

ଦୋଷ ଦୁର୍ବଳତା ଯେତେ

ହାରେ ନାହିଁ କେବେ ସଂସାର ସଂଗ୍ରାମେ

ଚାଲିଥାଏ ଶକ୍ତିମତେ।


ପ୍ରତିବାଦ ତାର ଅପରାଧ ସାଜେ

ଅବରୋଧ ତାର ଦୋଷ

ନାରୀ ବୋଲି ଯେବେ ନରମି ସେ ରହେ

ପାଏ ତେବେ ଶୁଭାଶିଷ। 


ଲୁଚି ଲୁଚି ଆଖି ଭିଜେଇ ସେ କାନ୍ଦେ

ଜୀବନ ଜହର ପିଇ,

ମୁଖେ ତାର ତାଲା ପଡ଼ିଥିବା ଯାଏଁ

ସଭିଙ୍କ ଆଦର ପାଇ।


ନାରୀ ବିନା ଏ ସଂସାର ସ୍ଥାଣୁ ସମ

ଅଚିରେ ଅଚଳ ହୁଏ,

ତଥାପି କନ୍ୟାଟେ ଗର୍ଭରେ ରହିଲେ

ମନ ଉଣା କାହିଁ ହୁଏ !


ମହାଶକ୍ତିମୟୀ ଦୁହିତା ହୋଇ ସେ

ସଂସାରର ମେରୁ ସାଜେ।

ହୁଗୁଳି ପଡ଼ିଲେ ମେରୁଖୁଣ୍ଟି ଯେବେ

ସମାଜ ଅନ୍ଧାରେ ହଜେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract