ଦୃଶ୍ୟପଟ୍ଟ
ଦୃଶ୍ୟପଟ୍ଟ
ଦୃଶ୍ୟପଟ୍ଟେ ନର୍ତ୍ତନେ ଆସେ କେତେ ଛବି
ବଦଳାଏ ପ୍ରତିନିତି କେତେ ଭାଗ୍ୟରବି
ସୃଷ୍ଟିର ସେ ଏ କି ବିଡମ୍ଵନା
କିଏ ହସେ କିଏ କାନ୍ଦେ ହୋଇ ଆନମନା ।
ସ୍ଵେଦାକ୍ତ କଣିକା ତଳେ ମହୁଆ ସେ ଗନ୍ଧ
ଚିରାଫଟା ବାସ ତଳେ ତା ' ଦେହ ଅଳିନ୍ଦ
କସରତ କରୁଥାଏ ମୂଲ
ଖାଦ୍ୟ, ବସ୍ତ୍ର ,ବାସ ସାଥେ ବାୟୁ ଆଉ ଜଳ ।
ମତ୍ସ୍ୟଜୀବୀ ପେଟ ପାଇଁ ଗଳି ପରେ ଗଳି
ବିଚରଇ ଫେରିବାଲା ଦ୍ଵାର ଦ୍ଵାର ବୁଲି
କଣ୍ଡକ୍ଟର ଛାଡଇ ବୋବାଳି
କିଏ ଦିଏ ଯାତ୍ରା ମୂଲ କିଏ କରେ କଳି ।
ଦରହାସ ମୁଖ ତଳେ କୋହଫଟା ହୃଦ
ଆବେଗର ଆବେଶର ଆଶ୍ଳେଷର ବଦ୍ଧ
ଆଖି ଯାଏ ପହଁରି ପହଁରି
ମିଳିବକି କେଉଁଠାରୁ ଟୋପେ କୃପାବାରି ।
ମଜୁରିଆ ଖଟିଖିଆ ଚଷାର ପରାଣ
ସନ୍ତୁଳିତ ଜୀବନର ସଂଘର୍ଷେ ବିଲୀନ
ଅସହଣି ଜୀବନର ବୋଝ
ବୋହି ବୋହି ତନୁମନ ହୁଏ ଅସହଜ ।
ବିଭାଘର ବ୍ରତଘର ପାଠପଢା କାହୁଁ
କରିବାକୁ ଅଛି ବେଳ ଦାଣ୍ଡେ ଠିଆ ସାହୁ
ସୃଷ୍ଟିର ସେ ଏ କି ବିଡମ୍ଵନା
ପେଟ ପାଇଁ ଦାନା ମୁଠେ ଲାଜ ପାଇଁ କନା ।