STORYMIRROR

Kabiratna Nutan Kumar Behera

Tragedy Inspirational Thriller

4  

Kabiratna Nutan Kumar Behera

Tragedy Inspirational Thriller

ଦିଗହରା ପଥିକ

ଦିଗହରା ପଥିକ

1 min
350

       


ଜୀବନର ଚଲାପଥ ଅନିର୍ଦ୍ଦିଷ୍ଟ ଲମ୍ଵର ଦୂରତା

ମାପିବାର ନାହିଁ ମଧ୍ୟ କିଛି ଜ୍ୟାମିତିକ ଏକକ

ଲମ୍ବିଥାଏ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅସୀମ ଭାବରେ

ଲକ୍ଷ୍ୟସ୍ଥଳ କରି ନିରୂପଣ ଖୋଜିବାକୁ ହୁଏ ଦିଗ l

ଚାଲିଆଡ଼େ ଜାଲ ପରି ବିଛାଇ ହୋଇଛି ସବୁ ପଥ

ପଥିକଟିଏ ପଥ ଅତିକ୍ରମ କରେ ତା ଗନ୍ତବ୍ୟ ଦିଗରେ

ଯାଉଁ ଯାଉଁ ପଥେ ଦେଖା ହୁଏ ଅନେକଙ୍କ ସାଥେ

କିଏ ଥାଏ ଚିହ୍ନା ଜଣା ପୁଣି କିଏ ଅଜଣା ଅଚିହ୍ନା l

ଅସଂଖ୍ୟ ମୁହଁମାନଙ୍କରୁ ସ୍ଫୁରିତ ହେଉଥାଏ ଶବ୍ଦମାନ

ଅନେକ ଆଶା ଭାଷାର ବହୁ ବହୁ ଦିଗଦର୍ଶନ ତଥ୍ୟ

କିଏ ଅବା ଥାଏ କେଉଁ ମତରେ ବୁଝିବା ହୁଏ ମୁସ୍କିଲ

ନିଜ ରୁଚି ନୀତିକୁ ଲାଗିଲେ ଭଲ ହୁଏ ପସନ୍ଦ l

ଭାବ ବିନିମୟ କରୁ କରୁ ଆସିଯାଏ ଆତ୍ମୀୟତା

ମନ ସାଥେ ମନ ମିଶେ ହୃଦୟକୁ କରିନିଏ ଆକର୍ଷିତ

ଭାରି ଆପଣାର ଆପଣାର ଲାଗେ ସିଏ ଗୋଟାପଣେ

ହୋଇଯାଏ କେବେ ଯଦି ପ୍ରେମ ତାର ସାଥେ l

ଜୀବନ ସାଥୀ ହୋଇ ପଥ ଚାଲିବାକୁ କରି ନିଅନ୍ତି ଚୁକ୍ତି

ପରସ୍ପର ମଧ୍ୟରେ ଦୁଃଖ ସୁଖ ହେଉ ହେଉ ବିନିମୟ

ସମସ୍ୟାର ଦୋଛକିରେ... ବୁଝାମଣାର ହେଲେ ଅଭାବ 

ଦେଖାଦିଏ ବ୍ୟତିକ୍ରମ...ସୃଷ୍ଟିହୁଏ ଅବାଞ୍ଛିତ ଅନ୍ତରାୟ l

ଛିଡ଼ିଯାଏ ସୁସଂପର୍କର ଖିଅଟିଏ ଅକସ୍ମାତ୍ ଅଜଣାତରେ

ଜଣେ ଅନ୍ୟ ଜଣକୁ କରୁଥାଏ ଦୋଷାରୋପ

କଥା ଉଠେ ପ୍ରତାରଣା ପ୍ରବଞ୍ଚନାର ଥିଲା ଷଡ଼ଯନ୍ତ୍ର l

କପାକାଠି ପରି ଭରସା ବିଶ୍ଵାସ ଭାଙ୍ଗି ହୁଏ ଟିକ୍ ଟିକ୍

ନିଜକୁ ନିଜେ କରୁଥାଏ ସମୀକ୍ଷାରେ ତର୍ଜମା

ଅନୁଶୋଚନାରେ ମ୍ରିୟମାଣ ହୋଇ କରେ ଅବଶୋଷ

ଭାବେ ନିଜକୁ ନିଜେ ସେ ଏକ ଦିଗହରା ପଥିକ l

ଲକ୍ଷ୍ୟ ହୁଏ ତାର ଅପହଞ୍ଚ ଆଗକୁ ଦିଶେ ଅନ୍ଧାର

ଦୁର୍ବଳ ହୁଏ ମାନସିକତା ଲାଗେ ତାକୁ ଅସହାୟ

ଜୀବନ ପଥରେ ପଥିକଙ୍କୁ ପ୍ରାୟତଃ ଅନୁଭବ ହୁଏ l

ଏମିତି କିଛି କିଛି ନୈରାଶ୍ୟତାର ଦୟନୀୟ ଭାବ

ନିଜକୁ ଠିକ୍ ବିଚାର କରି ବିବେକ ବୁଦ୍ଧି ଜ୍ଞାନରେ 

ସଜାଡ଼ି ଚାଲୁଥିଲେ ଆଗକୁ ଆତ୍ମବିଶ୍ଵାସରେ ପ୍ରତିଟି ପାଦ

ସଞ୍ଚିତ ରହେ ତାର ସାହସ ଇଚ୍ଛାଶକ୍ତି ମନୋବଳ

କେବେ ନିଜକୁ ଭାବେ ନାହିଁ ସେ ଦିଗହରା ପଥିକ।

               



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy