ଦିଅଁ ଦେଖି ଯିବାଗୋ ସହି
ଦିଅଁ ଦେଖି ଯିବାଗୋ ସହି
ଦିଅଁ ଦେଖି ଯିବାଗୋ ସହି,
ଏମନ୍ତ ଦେବତା ଜଗତେ ନାହିଁ,
ନୀଳ କନ୍ଦରରେ ବିଜେ କରିଅଛି
ପତିତପାବନ ବାନା ଉଡ଼ାଇ ll
ବଡ଼ ଖିଆ ବଡ଼ ଆଖିଆ,
ଭାଇ ତାର ବଡ଼ ହଳିଆ,
ନୀଳସିନ୍ଧୁ ତଟେ ବଡ଼ ଦେଉଳିଆ,
ସଙ୍ଗେ ତା ଭଉଣୀ ହଳଦୀ ମୁହିଁ ll
କାଠଗଢ଼ା ତା କଳେବର,
କାଷ୍ଠମୟ ଦାରୁ ଶରୀର,
ପାଦ ପାଣି ନାହିଁ ବିଚିତ୍ର ଦେବତା
ଚଉଦବ୍ରହ୍ମାଣ୍ଡ କର୍ତ୍ତା ବୋଲାଇ ll
ଶୁଣିବାକୁ ଶ୍ରବଣ ନାହିଁ,
ଚକ୍ଷୁଶ୍ରବା ସେହି ବୋଲାଇ,
ତପୀଙ୍କୁ ତାରିଲା ଗୋପୀଙ୍କୁ ତାରିଲା,
ଲଙ୍କା ଗଲା ସଙ୍ଗେ କପିଙ୍କୁ ନେଇ ll
ଗୁଢ଼ପାଦ ପଦ୍ମ ପୟର,
ବଣା ହେଲେ ଇନ୍ଦ୍ର କୁବେର,
ନିଳାଦ୍ରୀ ଚନ୍ଦ୍ରମା ବଣା ହେଲେ ବ୍ରହ୍ମା,
ବଣା ହେଲେ ପୁଣି ପାର୍ବତୀ ସାଇଁ ll
ରୂପ ତା ଚିକ୍କଣ କାଳିଆ,
ଚକା ଆଖି ଚକା ଡୋଳିଆ,
ବିଚିତ୍ର ବିନ୍ଧାଣୀ ଗଢ଼ିଲା କେ ଜାଣି,
ତା ପାଦେ ପଶୁଛି ଶରଣ ମୁହିଁ ll
