ଧୂସର ସ୍ମୃତିରେ ସନି ମହାନ୍ତି
ଧୂସର ସ୍ମୃତିରେ ସନି ମହାନ୍ତି
ସେଇ ଝିପିଝିପି ବର୍ଷା ଶିରିଶିରି ପବନର
ରହସ୍ୟମୟୀ ସନ୍ଧ୍ୟାରେ
ବେଲଗାମ ଉଡ଼ି ବୁଲୁଥିଲା
ମୋ ଶାଢ଼ୀ କାନି ସହ
ଧୂସର ଅତୀତ ।
ଶାଢ଼ୀ କାନିର ସଂଯତପଣରେ ଆବିଷ୍କାର ହେଲା
ମୋ ସ୍ମୃତିର ଭଗ୍ନାବଶେଷ
ସନି ମହାନ୍ତି !
ମୋ ଯନ୍ତ୍ରଣାରେ ସହଭାଗୀ ହୋଇ
ଆକାଶ ବୋଧେ ଖୁବ ଜୋରରେ କାନ୍ଦିବାକୁ ଲାଗିଲା ।
କାନରେ ଶୁଭୁଥିଲା
ସେଇ ପୁରୁଣା ପ୍ରବଞ୍ଚନାର ଗାଥା
ତୋ ଓଠ ଅନ୍ତରାଳରେ
ପେଟରେ ସଞ୍ଚିତ
ମୋ ପାଇଁ ମିଥ୍ୟା ମିଠା ପ୍ରତିଶ୍ରୁତିର ବାର୍ତ୍ତା ।
ସନି ମହାନ୍ତି !
ଆଜି ବି ମନେଅଛି ମୋର
କ୍ୟାଣ୍ଟିନରେ, କ୍ଲାସରେ ତୋର ମୋ ପାଖେ ବସିବା
ଲାଇବ୍ରେରୀର ବୁକ ସେଲ୍ଫ ଫାଙ୍କ ଦେଇ
ମୋତେ ଲୁଚିଛପି ଚାହିଁବା ।
ଥୁଣ୍ଟା ଆଭିଜାତ୍ୟ ଆଧୁନିକତାର ଆଢୁଆଳରେ
କେଉଁ ଏକ କୋଣରେ ଲୁଚିଗଲା
ମୋ ସମ୍ପର୍କର ସାଇତା ସଞ୍ଚୟ ।
ସମ୍ପର୍କକୁ ପୁନଃସ୍ଥାପନା କରିବାର
ଯେତେ ସବୁ ନିଷ୍ଫଳ ପ୍ରଚେଷ୍ଟା ମୋର
ହୁତୁହୁତୁ ହୋଇ ଜଳୁଥିଲା
ଅନ୍ୟ ଏକ ଅଲିଅଳି ରାଜକୁମାରୀ ଓ
ତୋ ବିବାହ ଯଜ୍ଞକୁଣ୍ଡର ଅଗ୍ନିରେ ।
ବହଳ ଅନ୍ଧାର ଅନୁରାଗେ ବୁଡିରହି
ଭୁଲିଗଲି ମାପିବାକୁ ପ୍ରେମର ଗଭୀରତା ।
କେମିତି ବା ମାପିଥାନ୍ତି
ସନି ମହାନ୍ତି !
ଶେଯରୁ ନିଦ୍ରାର
ଜଳଠାରୁ ତୃଷ୍ଣାର
ଖାଦ୍ୟଠାରୁ ଭୋକିଲା ପେଟର ଦୂରତା
ମୋ ପାଇଁ ବି ଠିକ ଏହାହିଁ ତ ଥିଲ ତୁମେ ?
ଜାଣି ସାରିଥିଲି ମୁଁ
ମୋର ଆଉ ମୋ ଖୁସିର ଆୟୁଷ
ଆଉ କେତେଦିନ !
ଶୁନ୍ୟ ଜୀବନରେ ପାଇଲି ପୂର୍ଣ୍ଣତା
ଅବିନାଶ ପରି ଜୀବନସାଥୀ
ବସନ୍ତର ମଳୟ ବାଆଟେ ସାଜି
ଥୁଣ୍ଟା ଜୀବନ ମୋ ପଲ୍ଲବିତ ହେଲା
ବଞ୍ଚିବାର ଆଶାଟେ ଦେଖି ।
ଏବେ ବି ଆମ ମିଳନର ମୂକସାକ୍ଷୀ
କଲେଜ ପାଖ ସେହି କୃଷ୍ଣଚୁଡା ଗଛକୁ ଦେଖି
ବହେ ପ୍ରଶ୍ନ କରେ...
ପ୍ରକୃତରେ ଧର୍ମ କଣ ତୋ ପରି ଜଡ଼ ହୋଇପାରେ ?
ଆପଣାଛାଏଁ ପାଇଯାଏ ଉତ୍ତର ।
ସନି ମହାନ୍ତି !
ଶୁଣିପାରୁଛ ସମୟର ବିଦ୍ରୁପ ଅଟ୍ଟହାସ୍ୟକୁ ?
ଆଜି ତୁମେ ସମ୍ଭ୍ରାନ୍ତର ଡିଣ୍ଡିମ ପିଟୁଛ
କ୍ରେଟାଟିଏ ରଖି,
ମୋର କିନ୍ତୁ ସକାଳ ଏଠି ପାହେ
ତିନି ତିନୋଟି ବିଏମ୍ ଡବ୍ଲ୍ୟୁକୁ ଦେଖି ।