STORYMIRROR

sulochana Bisoyi

Tragedy

4  

sulochana Bisoyi

Tragedy

ଧରଣୀ ର କୋହ

ଧରଣୀ ର କୋହ

1 min
283

ନିଃସ୍ତବ୍ଧ ନିଶି ଅର୍ଦ୍ଧ କାଳେ  

କ୍ରନ୍ଦନ ଶୁଭେ ନାରୀ ଗଳେ

ନିଦୁ ମୁଁ ଉଠି ମନେ ଭାଳେ

  କେ କାନ୍ଦେ ବୃକ୍ଷ ଆଢୁଆ

ସେ ସ୍ବରେ ଗଲି‌ ଅନୁସରି  

ପାଦ ପକାଏ ଡରିଡରି

ଦେଖିଲି ଏକ ବୃକ୍ଷ ମୂଳେ 

 ତରୁଣୀ କାନ୍ଦେ କି ବିକଳେ  ।

 କ୍ଷତ ବିକ୍ଷତ ତା ଶରୀର 

 ନୟନୁ ବହେ ଅଶ୍ରୁ ଧାର

 ଆବେଗେ ପ୍ରଶ୍ନ ମୁଁ ପୁଚ୍ଛଇ 

  ଭୋ ମାତ କାନ୍ଦୁ ତୁ କିମ୍ପାଇଁ ।

କେ ଦେଲା ଆଘାତ ତୋ କାୟେ   

ମୋ ଆଗେ କହ ତୁ ନିର୍ଭୟେ 

ତୋ ଦୁଃଖ ଫେଡିବି ନିଶ୍ଚିତେ  

 ଦୟା ବସିଲା‌ ମୋର ଚିତ୍ତେ ।

କରୁଣ କଣ୍ଠେ କୁହେ ବାଣୀ  

ଭୋ ପୁତ୍ର ମୁଁ ଅଟେ ଧରଣୀ 

ଏ ଯେତେ ମୋ ଦେହରେ କ୍ଷତ  

 ଦେଇଛନ୍ତି ତା ମୋର ସୁତ ।

ଭୋସୁତ ଶୁଣ ମୋ ବଚନ

   କହୁଛି ମୋ ପୂର୍ବ କଥା ମାନ

ମୋ ବକ୍ଷେ କେତେ ନଦ ନଦୀ 

 ବହନ୍ତି ଗିରି ଶୃଙ୍ଗ ଭେଦି ।

ନିତ୍ୟେ ପିବନ୍ତି ଯାର ଜଳ  

 ହରିଣୀ ସଙ୍ଗେ ହସ୍ତୀ ଦଳ 

ବୃକ୍ଷେ ଯେ ଥିଲେ ନାନା ବର୍ଣ୍ଣେ  

ଶୋଭା ବଢାନ୍ତି ବନେ ବନେ ।

ଘନ କାନନ ଲତା ମାନ 

 ଥିଲେ ଯେ ନାନା ପକ୍ଷୀଗଣ 

ଶ୍ରୁତି ମଧୁର ଧ୍ବନି କରି   

ସବୁରି ମନ ନିଅନ୍ତି ହରି ।

କାନନେ ନାନା ପୁଷ୍ପ ସାର 

  ପଦ୍ମ ପୁରିତ ସରୋବର

ମଧୁ ପବନ ବହେ ନିତ୍ୟେ 

  ମୁଁ ରହୁଥିଲି ତୋଷ ଚିତ୍ତେ ।

ବୃକ୍ଷ ଯେ ଅମ୍ଳଜାନ ଦେଇ 

 ଅଙ୍ଗାରକାମ୍ଳ ଶୋଷି ନେଇ

ଦୂଷିତ ବାୟୁ ମୁକ୍ତ କରି   

ସୃଷ୍ଟି ରେ ଦିଏ ଜଳ ଭରି ।

ସେ ଜଳ ଆମ ତୃଷା ନାଶେ  

 କୃଷକ ବଞ୍ଚେ ତା ଭରସେ 

କେତେ ଯେ ଲତା ଗୁଳ୍ମ ଆଦି

   ହରାନ୍ତି ନାନା ରୋଗ ବ୍ୟାଧି ।

ଏବେ ଯେ ଏ ସ୍ବାର୍ଥୀ ମଣିଷ  

 ପ୍ରଲୋଭନେ କରଇ ଚାଷ

ଅଧିକ ଉତ୍ପାଦିବା ଆଶେ  

 ସାର ପ୍ରୟୋଗେ ମୋ ବଳ ନାଶେ ।

କୀଟନାଶକ ପ୍ରୟୋଗରେ  

 କେତେ ଯେ ବିହଙ୍ଗମ ମରେ

ନଦୀ ଜଳେ ନିକ୍ଷେପି ଯେ ମଳ  

ତା ତନୁ କରାନ୍ତି ଆବିଳ ।

କ୍ଷମତା ଭୋଗର ଲାଳସେ

  ମୋ ବକ୍ଷେ ପ୍ରହାରନ୍ତି ରୋଷେ

ନିଷ୍ଠୁରେ ବୃକ୍ଷ ଯେ କାଟନ୍ତି  

ନୃଶଂସେ ପଶୁ ଯେ ହାଣନ୍ତି ।

କ୍ଷତ ବିକ୍ଷତ‌ ମୋ ଶରୀର  

କ୍ଷତରୁ ବହୁଛି ରୁଧିର

ଧରଣୀ ବଚନେ ମୋ ମନ ‌ 

ବିଷାଦେ ହୋଇଲା ଦହନ ।

ବୋଇଲି ଭୋ ମାତ ଶୁଣ

 କରିବି ତୋ ଦୁଃଖ ହରଣ 

କରିବି ମୁଁ ବୃକ୍ଷ ରୋପଣ 

ନ ରହିବ ତୋ ଦୁଃଖ କଷଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy