STORYMIRROR

Krushna Chandra Lenka

Abstract Action Inspirational

4  

Krushna Chandra Lenka

Abstract Action Inspirational

ଧନ୍ୟ ତୁମ୍ଭେ ସାଇଁ

ଧନ୍ୟ ତୁମ୍ଭେ ସାଇଁ

1 min
422

ଧନ୍ୟ ତୁମେ ସାଇଁ ଧନ୍ୟ ତୁମ୍ଭ ମହୀ

   ଧନ୍ୟ ତୁମ୍ଭ ସରଜନା,

କେତେ କେତେ ଜୀବ ଗଢି ଏ ସଂସାରେ

    ଉଡାଅ ଜଗତ ବାନା।


ପଶୁ ପକ୍ଷୀ ନର ଗଛ ଲତା ସାର

   କୀଟ ଅଣୁଜୀବ କେତେ,

କ୍ଷୁଦ୍ର ଅବା ବର ସବୁ ଯେ ତୁମ୍ଭର

   କେଡେ ଆପଣାର ସତେ।


ତୁମ୍ଭ ସୃଷ୍ଟି ବାରେ  ଭାଳିଲେ ମୁଁ ଥରେ

    ଲାଗଇ ଚକିତ ଯେତେ,

ଯା ପାଇଁ ଯେ ଯାହା  ଖଞ୍ଜିଅଛ ତାହା

   ଚିନ୍ତି କାବା ହୁଏ ସେତେ।


ଯେତେ ପରକାର  ଜୀବ ଅବା ନର

   ଗଢିଲ ଏ ଆମ ବିଶ୍ୱେ,

କାର ସାଥେ କାର  ମିଶେ ନାହିଁ ସୁର

   ଭଳି ଭଳି ମୁଖ ଦିଶେ।


କାରେ ଦେଇଅଛ  କେମନ୍ତ ଶକତି

  ଜାଣି ତା ଦକ୍ଷତା ମାନ,

କେ ଉଡେ ଆକାଶେ  କିଏ ଜଳେ ଭାସେ

    କାର ସ୍ଥଳେ ଥାଏ ମନ।


ଗଗନେ ଭାସ୍କର ଶଶୀ ତାରା ଯାର

    ଆସଇ ତିମି ବିନାଶି,

ନିଇତି ପ୍ରଭାତେ  ଛନ୍ତି ପୁଷ୍ପ ଯେତେ

  ଦିଅନ୍ତି ସୁବାସ ରାଶି।


ତୁମ୍ଭରି କରୁଣା ତିଳେ ହେଲେ ଉଣା

   କିସ ହେବ ଏ ଜଗତେ,

ଦିବା ନିଶି ଯହିଁ  ଘଟେ ତୁମ୍ଭ ପାଇଁ

   ସମ୍ଭବ ତୁମ୍ଭରି ହାତେ।


ଆହାର ବସନ ସାଥେ ବାସ ଥାନ

   ଯୋଗାଇଚ ସାଇଁ ଯେତେ,

କରମ ସହିତ ହସ୍ତ ଆଉ ଚିତ୍ତ

  ଯୋଡିଲ ମଣିଷ ସାଥେ।


ପାଦ ଆଉ ହସ୍ତ  କର୍ମ ପାଇଁ ବ୍ୟସ୍ତ

   ଏ ଭୁବନେ ତୁମ୍ଭ ଲାଗି,

ବିବେକ ବିଚାର ବୁଦ୍ଧି ପାଇଁ ମୋର

   ମସ୍ତକ ରହିଚି ଜାଗି।


ନୂତନ ପ୍ରଭାତ  ନିତି ଦେଖେ ଯଦି

   କେବଳ ତୁମ୍ଭରି ପାଇଁ,

ତୁମ୍ଭରି ଆଶିଷେ ଭଲ କର୍ମ କରି

  ରଖୁଥିବି ଯଶ ମୁହିଁ।


ଧନ୍ୟ ତୁମ୍ଭେ ସାଇଁ  ଧନ୍ୟ ତୁମ୍ଭ ମହୀ

  ଯାର ପଟ୍ଟାନ୍ତର ନାହିଁ

ତୁମ୍ଭ ପାଶେ ମୁହିଁ  କୃତଜ୍ଞ ଅଟଇ

   ମଣିଷ ଜନମ ପାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract