STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଦଗ୍ଧ ଉବାଚୀ

ଦଗ୍ଧ ଉବାଚୀ

1 min
483

ନଡ଼ିଆ ଗଛର ଛାଇ

ପବନ ସହିତ ଖେଳେ ଲୁଚକାଳି

ବେଣୀ ନଚେଇ 

ହାତ ହଲେଇ

ଛଟକି ଛଇ 

ଭାରି ଫୁଲେଇ ।


ନଡିଆ ଗଛର ଫୁଲ

ବିଛେଇ ପଡ଼ିଛି 

ଆମୂଲ ମୂଲ

ପେନ୍ଥା ପେନ୍ଥା 

ପଡୁଛି ଝରି

ବଡ଼ ସୁକୁମାରୀ 

 ଲାଜ କୁଆଁରୀ

ପବନ ସହିତ

ବାଦ ବିବାଦ କରି

ଝଡ଼େ ଥିରି ଥିରି

ପୁଷ୍ପ ବୃଷ୍ଟିର ଭ୍ରମ କରି

ଧରିତ୍ରୀ ମା'ର ଧୂସର ପଣତେ

ଫୁଲ ଫୁଲିଆ ସୁଷମା ଭରି ।


ନଡ଼ିଆ ଗଛର ଢ଼ପା

କଥା କଥାକେ

 କଜିଆ କରେ

ଡେଉଁ ପଡି ଖପା ଖପା

ନିଳିଆ ନାଲିଆ ରଙ୍ଗ ମାଖୁଆ

ଟୋପି ପିନ୍ଧି ଲାଗେ ରଙ୍ଗ ରଙ୍ଗିଆ

ରସିକ ନାଗର ନାତିଆ ଟୋକା 

ବିଧା ଗୋଇଠା ଖାଇ 

ପଡ଼ିଛି ତଳେ 

ଗଣି ହେଉନି କେତେ କାଳେ 

କୂଳଛଡ଼ା ଘରତଡ଼ା ବାକ୍ୟବୀର

ଖାଇ କୋଣଠେସା ଶର୍ମସାର

ମୁଣ୍ଡ ପଗଡି ପଡି ଗଡି ବିଛାଡ଼ି

କରୁଛି ରଡି 

ଶୁଣିବାକୁ ମିଳୁନି କେହି

 ନଜର ନାହିଁ ନିଜର ଭାଇ

ବାଳୁତ ବୁଦ୍ଧିରେ ମଥାପୋତି 

ମୁଣ୍ଡଛେଚି ଶୋଇଛି ଛାର ।


ନଡ଼ିଆ ଗଛର ଫାଙ୍କ

ଶୀତ ସକାଳର 

ନିଆଁପୁଆ ମେଳ

ପଶ୍ଚିମ ବୟସେ 

ମନେ ପଡିଗଲେ

ମନ ହେଇଯାଏ ବାଙ୍କ 

ଦେହ ହେମାଳ ।

ଗାଁର ବିଧାନସଭା

ବୁଢା ଟୋକାଙ୍କର ମେଳଣ ସଭା

ଗୁପ୍ତ କଥାର ଗହନ ବ୍ୟଥା 

ହିଂସା ଦ୍ଵେଷର ଚର୍ବିତ ଚର୍ବଣ 

ଖେଚଡ଼ କଥା

ସବୁ

ମିଳୁଥାଏ ତାଜା ଆଭା ।


ନଡ଼ିଆ ଗଛର ଗଣ୍ଡି

କେତେ କୋଳେଇଛି 

କେତେ ଆଉଁସିଛି

ଭାବି ପ୍ରୀୟାର ନିତମ୍ବ ହୁଣ୍ଡି 

ନିତି ସଞ୍ଜରେ ନିରୋଳା ଖଞ୍ଜରେ

ସରାଗେ ପ୍ରୀତି ପରାଗେ

ମିଳନର ଅସ୍ତରାଗ

ମୂକ ସାକ୍ଷୀ ପରି

 ଛିଡ଼ା ସେ ପ୍ରହରୀ

କୁତବମୀନାର ସରି

ଯୌବନର ସିଂହଭାଗ ।


ନଡ଼ିଆ ଗଛର ଛାଇ

ଲାଗୁନାହିଁ ରମଣୀୟ 

କମନୀୟ ଆଜି

କାହିଁକି ଭାଇ ।


କୃଶ ଶରୀର ତା'ର

ଲମ୍ବିଛି ଅନେକ ଦୂର

ଛୁଇଁବ କି ଅମ୍ବର ।


ଶ୍ରୀହୀନ ଶ୍ରୀଫଳ ମେଳ

ପୋକଖିଆ 

ରୋଗ ବ୍ୟାଧିରେ ଆକ୍ରାନ୍ତ

ଫଳାଭନି କାନ୍ଧିଏ ଫଳ

 ପକ୍ଷାଘାତିଆ ।


ଅଧାରୁ ଅଧେ

 ଭୁଆ ବାହାଡ଼ା

ଲୋଡେ ସାର

 ଖତର ସ୍ନେହ ପରଶ

ଲୋଟି ନେଇ ଗଲେ 

ସର୍ବେ ବାହୁଡି

କେହି ବୁଝିଲେନି

 ସ୍ଵାର୍ଥୀ ମଣିଷ ।


ଚଢ଼େଇ ବସୁନି ଆଉ

ବସା ବି ବାନ୍ଧେନା କେବେ

ବୁଢା ହେଲେ ହତାଦର ଧରାବନ୍ଧା

ବିଧାତା ବିଧାନ ଭାବେ ।


ଗୁମୁରି ସୁମରି ଭାବେ ଏ ମନ

ଶୀତ ସକାଳର

 ଚହଲା ବେଳ

ଫୁଲ ଚାଦର ତଳେ 

କୋମଳ ହାତ ହଳେ

ଭିଡ଼ିଥିଲା ମୋ ବକ୍ଷସ୍ଥଳ

କୁହୁତି ପାହାଡ଼ ଚିରି

ଥିରି ଥିରି ଆମେ ଦୁଇ

ଏକ ହେବାର ଅଭିନୟ ପାଇଁ

ସରାଗେ ଭଲଗ୍ନ ହୋଇ

ଶୁଖିଲା ଶ୍ରୀଫଳ ପଡି ଦୁଇଫାଳ

ମସ୍ତକ ଉପରେ ଫାଟି

ଘଉଡେଇ ଥିଲା ହୁରୁଡେଇ ଥିଲା

ତିନ୍ତି ଥରି ଦେହ ପାଟି ।


ଅଦ୍ୟ ଯୌବନର ପ୍ରଥମ ପ୍ରେମର

ତୁ ନମସ୍ୟ ପ୍ରଶ୍ନବାଚୀ

ସୁଶୀତଳ ଛାଇ ତୋ'ର ରଙ୍ଗଛଇ

ପ୍ରଣମ୍ୟ କରେ ଏ ଛାର

ରତିଦଗ୍ଧ ଉବାଚୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy