ଦେଖାଅ ବାଟ ହେ ଉତ୍କଳମଣି
ଦେଖାଅ ବାଟ ହେ ଉତ୍କଳମଣି
ଆଜିର ସମାଜରେ ଜୀବନର ଚଲାବାଟ
ଦିନକୁ ଦିନ ହେଉଛି ଅଗମ୍ୟ ସଂକଟାପନ୍ନ
ଦୁର୍ଗମ ଗିରି କଣ୍ଟକିତ ବାଟରେ ଚାଲି ବାଟୋଇ
ଝୁଣ୍ଟି ପଡ଼ି କ୍ଷତାକ୍ତରେ ହୁଏ ଲହୁ ଲୁହାଣ
କାନ୍ଦେ ତାର କଅଁଳ ପ୍ରାଣ ଝରେ ଆଖି ଲୁହ l
ଅସହାୟେ ନିରୁପାୟେ ତୁମକୁ ଝୁରେ ତା' ମନ
ହେ ବରେଣ୍ୟ ମହାମାନ୍ୟ ମହାପୁରୁଷ
ତୁମ ଜୀବନ ଜୀବିକା ଉତ୍କଳେ ସ୍ବତନ୍ତ୍ର ଅନନ୍ୟ
ପବିତ୍ର ନିର୍ମଳ ଉଦାର ତୁମ ଚରିତ୍ର
ବଳିଷ୍ଠ ବ୍ୟକ୍ତିତ୍ବ ନେଇ କରି ଚାଲିଥିଲ ସଂଘର୍ଷ
କେବେ ଦେଇ ନାହିଁ ପଛଘୁଞ୍ଚା ଗଣି ପ୍ରମାଦ l
ଆଣି ନାହଁ କେବେ ମନକୁ ତିଳେ ପ୍ରାଣର ଆତଙ୍କ
ସତ୍ୟ ଅହିଂସାର ପଥେ ଥିଲ ଅଗ୍ରଦୂତ
ପାଳୁଥିଲ ପ୍ରିୟ ବାପୁ ମହାତ୍ମାଙ୍କ ଆଦର୍ଶ
ବାଲ୍ୟକାଳରୁ କାଳର ନିର୍ମମ ନିଷ୍ଠୁର ତାଡ଼ନା
ହସି ହସି ଯାଉଥିଲ ଯେତେ ସହି l
ଦବି କି ହାରି ଯାଇନ କେବେ ହୋଇ ମ୍ରିୟମାଣ
ବୁଝାଇ ଦେଇଛ ହାରିବା ଆଗକୁ କରେ ପ୍ରେରିତ
ଦିଏ ଉତ୍ସାହ ସାହସ ଅଶେଷ ଅସରନ୍ତି
ସ୍ବାଗତ କରେ ଜିତିବାକୁ... ପାଇବାକୁ ସଫଳତା
ଦୁ଼ଃଖରେ ଜୀବନ ଗଢ଼ି ଶିଖିଲେ l
ସେ ହୁଏ ଶ୍ରମ ସାଧନାର ବାସ୍ତବ ସାର୍ଥକତା
କରି ରୋଗୀସେବା ଖାଦ୍ୟ ବାଣ୍ଟି ବନ୍ୟା ପ୍ରପୀଡ଼ିତେ
ହୋଇଛ ନିଃସ୍ଵ ବିପନ୍ନଙ୍କ ବନ୍ଧୁ ହେ ଗୋପବନ୍ଧୁ
ତୁମ ହୃଦୟଟା ଥିଲା ଦୟା ଅନୁକମ୍ପାର ଏକ ସିନ୍ଧୁ
ବକୁଳ ବନ ଛୁରୀଅନାଠାରେ ଶିକ୍ଷାର ପ୍ରସାର ଲାଗି
ପ୍ରତିଷ୍ଠା କରି ବନ ବିଦ୍ୟାଳୟ କଲ ଶିକ୍ଷକତା l
ଶିଖାଇଲ ଶିଷ୍ୟମାନଙ୍କୁ ସ୍ଵାଧୀନତାର ମୂଲ୍ୟବୋଧ
ମା' ମାଟିକୁ କରିବାକୁ ବିଦେଶୀ ଶାସନରୁ ମୁକ୍ତ
ଆମରଣ ସଂଗ୍ରାମ ଚଲାଇଲ ଅବାଧ
ପ୍ରତିଷ୍ଠା କଲ " ସମାଜ " ଓ " ସତ୍ୟବାଦୀ "
ସଚେତନ କଲ ଅଗଣିତ ଦେଶବାସୀଙ୍କୁ l
ରଚି କାବ୍ୟ କବିତା ଜନ ମାନସରେ ହେଲ ସୁପ୍ରିୟ
ମାତୃଭାଷାର ରଖି ଟେକ ଆଣିଲ ବିଜୟ
ତୁମ ସେବା ତ୍ୟାଗ ଆଦର୍ଶ ସର୍ବଜନେ ମନେ ବିଦିତ
ତୁମେଠାରେ ଏ ଓଡ଼ିଆ ଜାତି କରେ ମଥା ନତ
ଆଜି ତୁମ ଜନ୍ମ ଜୟନ୍ତୀରେ ଦେଇ ଶ୍ରଦ୍ଧାଞ୍ଜଳି l
କରୁଅଛୁଁ ଆମେ ସର୍ବେ ତୁମ ପାଶେ ଅଳି
ହେ ପ୍ରିୟ ଜନ ନାୟକ ସତ୍ୟାଶ୍ରୟୀ ଉତ୍କଳମଣି
ଉତ୍କଳର ଐତିହ୍ୟ ପରମ୍ପରା ସଂସ୍କୃତି ଯଶ ଗୌରବ
ଫେରାଇ ଆଣି ରଖିବାକୁ ଚିର ଅକ୍ଷୟ ଅକ୍ଷୁର୍ଣ୍ଣ l
ଦିଅ ସତବୁଦ୍ଧି ସଭିଙ୍କୁ ଦେଖାଅ ବାଟ
ମାତୃଭୂମି ମାତୃଭାଷାର ଦୂର ହେଉ ସଂକଟ
ଦେଖାଅ ବାଟ ହେ ଉତ୍କଳମଣି......
ସାକାର ହେଉ ପ୍ରତି ପ୍ରାଣେ ତୁମ ଅମୃତବାଣୀ।