STORYMIRROR

Kulamani Sarangi

Tragedy

2  

Kulamani Sarangi

Tragedy

ଦେବଯାନୀ (ସପ୍ତଦଶ କଳିକା)

ଦେବଯାନୀ (ସପ୍ତଦଶ କଳିକା)

1 min
144

ଦେବଯାନୀ 

ସପ୍ତଦଶ କଳିକା


ଦେବଯାନୀ ମନ ଆଜି ଆନନ୍ଦେ ବିଭୋର,

ପିତା ହୋଇଛନ୍ତି ମହା ପ୍ରଶଂସା ମୁଖର  

କରି କଚ ଗୁଣଗାନ, 

କହିବୁଲୁଛନ୍ତି ନାହିଁ ଶିଷ୍ୟ ମୋ ଏସନ


ଶାସ୍ତ୍ର ବିଦ୍ୟାରେ ତ ଗଣପତି ଠାରୁ ବଳି,

ଶସ୍ତ୍ରବିଦ୍ୟାରେ ସେ ଦେବ-ସେନାପତି ଭଳି,

ବିନୟରେ ବୈନତେୟ,

କର ପତ୍ର ଯୋଡି ସଦା ଗୁରୁପାଦେ ଲୟ


ମଧୁର ବଚନେ ତୋଷେ ସଭିଙ୍କର ମନ,

ସହଜେ ତ ସୌନ୍ଦର୍ଯ୍ୟରେ କନ୍ଦର୍ପ ସମାନ,

କିଏ ହେବ ସମସରି,

ବିଦ୍ୟା ଆସ୍ୱାଦନେ ଫୁଲେ ମଧୁକର ପରି


ନିଜ ପିତା ପରି କରେ ସେବା ଗୁରୁଙ୍କର, 

ଶୟନ ପୂର୍ବରୁ ମଂଚାଳଇ ପାଦ,କର,

ଗୁରୁ ନିଦ୍ରା ଗଲାପରେ, 

ପ୍ରଣମି ପଦ ଯୁଗଳେ ନିଜେ ଶଜ୍ୟା ଧରେ


ସବୁବେଳେ ହସ ହସ ତା ମୁଖମଣ୍ଡଳ,

ଚନ୍ଦ୍ରରେ ଥାଏ କଳଙ୍କ,ତା ମୁଖ ନିର୍ମଳ,

ତାର ବିମଳ ହସରେ, 

ଶତ୍ରୁ ହସ୍ତୁ ଖସିପଡେ ଖଡଗ ମହିରେ


ଆଶ୍ରମ ଅନ୍ତେବାସୀଙ୍କ ଅଟେ ସେ ଜୀବନ,

କଚ ନଥିଲେ ଆଶ୍ରମ ଲାଗେ ମହାଶୂନ୍ୟ, 

ପଶୁ,ପକ୍ଷୀ,ଲତା,ବନ,

କିଣିନେଇଅଛି କଚ ସଭିଙ୍କର ମନ


ବିଚାରନ୍ତି ଦେବଯାନୀ ପିତା ମୋର ସତେ,

ପରିଣୟ କରାଇବେ କଚ'ଙ୍କ ସହିତେ,

ସତେ ଆସିବ ସେ ଦିନ

ମଧୁର ପ୍ରୀତିମଧୁର ହେବ ଆସ୍ୱାଦନ


ଏମନ୍ତ ବିଚାରୁଁ ହଜି ଗଲେ ସେ ଖିଆଲେ,

ଘୂରିବୁଲିଲେ ସପନ ସରଗ ମଣ୍ଡଳେ,

ଧରି କଚ'ଙ୍କର କର,

ପ୍ରୀତି ନନ୍ଦନ କାନନେ କରନ୍ତି ବିହାର


ଖିଆଲରୁ ଫେରି ଯେବେ ପାଇଲେ ସଂବିତ  

କଚ'ଙ୍କ ଅନୁପସ୍ଥିତି କଲା ଭୟଭୀତ,

ଚିନ୍ତା ଘାରିଲା ମନକୁ,

କଚ କଚ ଡାକି ଗଲେ ତଟିନୀ ତଟକୁ


ଗଙ୍ଗାନଦୀ ତଟ ଖୋଜି ନପାଇ ସେ ସ୍ଥାନେ,

ଅଶ୍ରୁସିକ୍ତ ନୟନରେ ଫେରିଲେ ଆଶ୍ରମେ,

ଆସି ପିତାଙ୍କ ନିକଟେ, 

ବୋଇଲେ ନିଶ୍ଚୟ କଚ ପଡିଛି ସଙ୍କଟେ


"କୁହ ପିତା ! କେଉଁଠାରେ ହଜିଗଲେ କଚ,

ବିପଦ ପଡିଛି ମୋତେ ଦେଖାଯାଏ ସ୍ୱଚ୍ଛ,

ଦୁଷ୍ଟ ରାକ୍ଷସ କବଳେ,

ପଡିଛି ନିଶ୍ଚୟ କହି କାନ୍ଦିଲେ ବିକଳେ


ଦେବଯାନୀଙ୍କ ବିକଳ ଦେଖି ମହାମୁନି,

ମୁଦ୍ରିତ ନୟନେ ଧ୍ୟାନେ ରହି ହୋଇ ତୁନି,

ତପୋବଳେ ହେଲେ ଜ୍ଞାତ,

ଦାନବଙ୍କ ହସ୍ତେ କଚ ହୋଇଛି ନିହତ


ବୋଇଲେ ଦେବଯାନୀଙ୍କୁ 'ଶୁଣ ମୋର ଧନ,

ଦାନବେ କରିଅଛନ୍ତି କଚ'କୁ ନିଧନ, 

କରି ଶରୀରକୁ ଭସ୍ମ, 

ବିସର୍ଜନ କରିଛନ୍ତି ଗଙ୍ଗାରେ ପାଉଁଶ


କ୍ରମଶଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy