STORYMIRROR

Kulamani Sarangi

Abstract

2  

Kulamani Sarangi

Abstract

ଦେବଯାନୀ (ନବମ କଳିକା)

ଦେବଯାନୀ (ନବମ କଳିକା)

1 min
163

ଗୁରୁଙ୍କ ମୁଖୁ ନାସ୍ତିବାଣୀ ଶୁଣି,

ହୋଇଲେ ଦୁଃଖୀ କଚ ଧୀରମଣି, 

ବୃନ୍ତଚ୍ୟୁତ ହେଲେ ଯେହ୍ନ ପ୍ରସୂନ, 

ତେସନ ହୋଇଲା ମନ ମଳିନ ,

ମଉଳିଲା ମୁଖ ପ୍ରଭା ଯେ,

ପୂର୍ଣ୍ଣିମା ଜହ୍ନକୁ ଅକସ୍ମାତ କାହୁଁ,

ରାହୁ ଗ୍ରାସିଦେଲା ଅବା ଯେ


ଦେବଯାନୀ ହୃଦ ଫଲ୍ଗୁନଦୀର,

ଅଦୃଶ୍ୟେ ବହୁଥିବା ପ୍ରୀତି ଧାର, 

ଅକସ୍ମାତ ଗଲା ଅଟକି କାହିଁ,

ବିଚାରନ୍ତି କେଡେ ନିର୍ଦ୍ଦୟ ବିହି ,

ଦେଖାଇ ଦେଇ ଅମୃତ ଯେ,

ଚଖାଇବ କହି ଦେଲା ଯା ମିଶାଇ

ହଳାହଳ ବିଷପାତ୍ର ଯେ


ବୋଲନ୍ତି ଶୁକ୍ର 'ଶୁଣ ଦେବପୁତ୍ର,

ଆସିଛ ଅତିକ୍ରମି ବହୁ ପଥ,

ବିଶ୍ରାମ ନିଅ ଆଜି ଗୁରୁକୁଳେ,

ଆତିଥ୍ୟେ କାର୍ପଣ୍ୟ ନହେବ ହେଳେ ,

ଫେରିଯାଅ ପ୍ରଭାତରୁ ହେ,

ଦେବ ସମାଚାର ଆମ୍ଭ ନିର୍ଣ୍ଣୟର,

ଅପେକ୍ଷାରେ ଥିବେ ଗୁରୁ ହେ "


ବିଚାରନ୍ତି କଚ ଉଦ୍ୟାନେ ବସି,

ଉଦେ ନହେଉଁ ବୁଡିଗଲେ ଶଶୀ,

ଦ୍ରୁମ ହୋଇଲା ଅଙ୍କୁରରୁ ନାଶ,

କି ମୁଖେ କରିବି ସ୍ୱର୍ଗେ ପ୍ରବେଶ ,

କି ଭାଳିବେ ଦେବଗଣଙ୍କ ଯେ,

ପ୍ରବଳ ହୋଇବେ ଦାନବ ବାହିନୀ ,

ଭାଙ୍ଗିବ ଦେବଙ୍କ ଟାଣ ଯେ


ଆଗରେ ନିରାଶା ବାରିଧି ବାରି,

ଦେବଯାନୀ ଏକା ତା'ମଧ୍ୟେ ତରୀ,

ଗୁରୁଙ୍କର ଅଲିଅଳ ନନ୍ଦିନୀ,

ମନକୁ ତାହାର କରି ବନ୍ଦିନୀ

ରହିବି ଏ ଗୁରୁକୁଳେ ଯେ,

ବିଚାରୁ ଏମନ୍ତ ହେଲେ ଉପସ୍ଥିତ, 

ଦେବଯାନୀ ତତକାଳେ ଯେ


ପଚାରନ୍ତି କଚ "ଗୁରୁ ନନ୍ଦିନୀ

ମୁଖ କିପାଇଁ ବିରସ ମାନିନୀ? 

କିଏ କଲା କେଉଁ ବିଭବ ଚୋରି,

ଆସ ବସ ପାଶେ କ୍ଷଣେ କିଶୋରୀ ,

କରିବା ଆଳାପ ବସି ଗୋ,

ଆଉ ନାହିଁ ବେଳ,ହୋଇଲେ ସକାଳ,

ଫେରିଯିବି ମଧୁହାସୀ ଗୋ"


ରକ୍ତାଭ ମୁଖ ଆଖି ଛଳଛଳ, 

ମୁହଁରେ ଘୋଟିଛି ଦୁଃଖ ବାଦଲ,

ଦେବଯାନୀ ବୋଲନ୍ତି ଦେବପୁତ୍ରେ ,

"ନଯାଅ ନଯାଅ କାଲି ପ୍ରଭାତେ ,

ପିତାଙ୍କୁ ଦେବି ବୁଝାଇ ହେ,

ତୁମ୍ଭେ ଗଲେ ଚାଲି ନିରାଶାର ବାଲି,

ମୋ ଜୀବନ ଯିବ ହୋଇ ହେ "


ବୋଲନ୍ତି କଚ "ତୁମ୍ଭେ ମୋ ଭରସା,

ମୁଁ ଚକୋର ତୁମ୍ଭେ ମୋର ବରଷା,

ପିତାଙ୍କୁ ବୁଝାଇ କହିବ ଯେବେ,

ଅନ୍ୟଥା କରିବେ ନାହିଁ ସେ କେବେ ,

ଆଶା ହେବ ମୋର ପୂର୍ଣ୍ଣ ହେ,

ଆସିନାହିଁ ମୃତ୍ୟୁ ସଂଜୀବନୀ ଆଶେ, 

ଲକ୍ଷ ଜ୍ଞାନ ଆହରଣ ହେ


ଦେବଯାନୀ ପ୍ରୀତି ଅମୃତ ଘଟ,

ପ୍ରବେଶିଲା ସତେ ଛଳନା କୀଟ,

ବାଳା ପ୍ରେମ ସିନା ଥିଲା ସ୍ୱର୍ଗୀୟ,

ଦେବପୁତ୍ର କଥା ଛଳନାମୟ ,

ବୁଝିନପାରି ସରଳା ଯେ,

ପିତାଙ୍କ ସମୀପେ ଅଶ୍ରୁଳ ନୟନେ,

କଚ ପାଇଁ ଅଳି କଲା ଯେ


Rate this content
Log in

Similar oriya poem from Abstract