ଡର କାହାକୁ ଭୟ କାହାକୁ
ଡର କାହାକୁ ଭୟ କାହାକୁ
ଧୂନା ପଚାରିଲା ମୁନାକୁ,
ଡର କି ହେ ତୁମ ପତ୍ନୀକୁ?
ମୁନା କହିଦେଲା ଧୂନାକୁ,
ଡରେ ନାହିଁ ମୁହିଁ ତାହାକୁ ,
ଉଚ୍ଚବାଚ୍ଚ ହେଲେ ଶାନ୍ତି ହଜିଯିବ
ଡର ଖାଲି ଏହି କଥାକୁ ||
ଧୂନା ପଚାରିଲା ମୁନାକୁ,
ଡର କି ହେ ତୁମ ହାକିମଙ୍କୁ?
ମୁନା କହିଦେଲା ଧୂନାକୁ,
ଡରେ ନାହିଁ ମୁଁ ମୋ ହାକିମଙ୍କୁ,
ହାକିମ ରାଗିଲେ ଚାକିରୀଟା ଯିବ,
ଡରେ ଖାଲି ଏଇ କଥାକୁ ||
ଧୂନା କହିଦେଲା ମୁନାକୁ
ତୁମେ ଡର ତେବେ ତୁମ ହାକିମଙ୍କୁ|
ମୁନା କହେ ବସି ଧୂନାକୁ
ଡରେ ନାହିଁ ମୁହିଁ ମୋ ହାକିମଙ୍କୁ,
ଡରେ ଖାଲି ତାଙ୍କ ରାଗକୁ||
ଧୂନା ପୁଣି ଭଣେ ମୁନାକୁ
ଶୁଣିଅଛି ମୁହିଁ ତୁମେ ଡର କାଳେ ଭୂତକୁ?
ମୁନା କହେ ଶୁଣି ଧୂନାକୁ
ଡରେ ନାହିଁ ମୁହିଁ ଭୂତକୁ,
ଡରି ମରେ ଖାଲି
ଶୁଣି ମୁଁ ଭୂତର ନାଆଁକୁ||
ଧୂନା କହିଲା ମୁନାକୁ
ବୁଲେଇ ବଙ୍କେଇ ତୁମେ
କହୁଅଛ ସବୁ କଥାକୁ ||
ମୁନା ଭଣିଲା ଧୂନାକୁ
ବୁଲେଇ ବଙ୍କେଇ ମୁହିଁ
କହୁନାହିଁ ସବୁ କଥାକୁ,
ଭଲକରି ଟିକେ ଭାବିକି ଦେଖିଲେ
ବୁଝିଣ ପାରିବେ ସୂକ୍ଷ୍ମ ପ୍ରଭେଦ ଟିକକକୁ||
ପୁଣି କହେ ମୁନା ଧୂନାକୁ
ଡର ନାହିଁ ମୋ ବାହ୍ୟ ବସ୍ତୁକୁ,
ଡରେ ମୁଁ କେବଳ ନିଜ ଭିତରର
ଯେତେ ଦୋଷ ଦୁର୍ବଳତାମାନକୁ ||
ଡରେ ମୁହିଁ ଶାନ୍ତି ଭଙ୍ଗକୁ,
ଡରେ ଅସହାୟତା ବୋଧକୁ,
ଡରେ ନିରାଶା ହତାଶା ଭାବକୁ,
ଡରେ ମନେ ସୃଷ୍ଟ ଭୟ ଭ୍ରାନ୍ତିକୁ,
ଡରେ ମୁହିଁ ପୁଣି ମୋହ, ରାଗକୁ ||
ଧୂନା ଶୁଣି ଭଣେ ମୁନାକୁ
ତେବେ, ଡର କାହାକୁ ଭୟ କାହାକୁ
ଠାକୁରେ ଅଛନ୍ତି ଚଉ ବାହାକୁ
କର ପରିପୁଷ୍ଟ ନିଜ ଆତ୍ମବିଶ୍ବାସକୁ
ଧୂଆଁ ମେଳ ସମ ଶୂନ୍ୟେ ହଜାଇଦେବ
ସେ ତୁମ ଭିତରର ସବୁ ଦୋଷ ଦୁର୍ବଳତାକୁ ||
