ଡେଙ୍ଗା ମଣିଷ
ଡେଙ୍ଗା ମଣିଷ
ଠେଙ୍ଗା ପରି ସିଏ ଡେଙ୍ଗା ମଣିଷଟେ
ନାଆଁ ତା ବିଜୁ ଦୁର୍ଦ୍ଦଣ୍ଡ
ଖାରବେଳ ସିଏ ନବ ଉତ୍କଳର
ଦୁର୍ଦ୍ଦଷ କଳିଙ୍ଗ ଷଣ୍ଢ l
ମହା ବୈମାନିକ ସେ ନୁହେଁ ନାୟକ
ଅଟେ ସେ ପଟ୍ଟନାୟକ
ନୋବେଲ ସମ୍ମାନ ପାଇ ନାହିଁ ସିନା
ନୋବେଲର ସଂସ୍ଥାପକ l
କଳିଙ୍ଗ ସମ୍ମାନ ଉତ୍କଳ ନୋବେଲ
ଖ୍ୟାତ ବିଶ୍ୱ ଦରବାରେ
ବିଜୁ ଚାଚାଙ୍କର ବିଜ୍ଞ ସୃଷ୍ଟି ଏହି
ଜ୍ଞାନୀ ଗୁଣି ଚିହ୍ନିବାରେ l
ଇଣ୍ଡୋନେସିଆରେ ବିଦ୍ରୋହୀ କବଳେ
ଶୂକର୍ଣ୍ଣ ପ୍ରାଣ ଉଚ୍ଛନ୍ନ
ଛଞ୍ଚାଣ ପରାୟେ ଝାମ୍ପି ଘେନିଗଲେ
ଚାଳି ପୁଷ୍ପକ ବିମାନ l
କାଶ୍ମିରୀ ଘାଟିରୁ ଉଠାଇ ଆଣିଲେ
କେତେ କେତେ ଶରଣାର୍ଥୀ
ଇଣ୍ଡୋନେସିଆର ଭୂମି ପୁତ୍ର ପୁଣି
ନାମ ଦେଲେ ମେଘାବତୀ l
ଓଡ଼ିଶା ମାଟିରେ ଚାଲେ ଆଜି ପୁଣି
କେତେ କଳ କାରଖାନା
ହୀରାକୁଦ ବନ୍ଧ ପାରାଦ୍ୱୀପ ନ୍ୟାସ
ବିଜୁର ସିନା କଳ୍ପନା l
କାଲାମ ଦ୍ବୀପରୁ ମିସାଇଲ ମାନ
ଆକାଶରେ ଯାଏ ଉଡ଼ି
କାଲାମଙ୍କୁ ଦେଇ ହୁଇଲର ଦ୍ବୀପ
ବିଜୁ ଆଣିଥିଲା ଭିଡ଼ି l
ଜନମରୁ ନେତା ସେହି ଜନନେତା
ଏ ଜାତି ମହା ନାୟକ
କଟକରୁ ପେଶାୱାର ପିଲା ଦିନେ
ସାଇକେଲର ଚାଳକ l
ବିଜୟାନନ୍ଦ ସେ ବିଜୁ ଚାଚା ଆମ
ପଟ୍ଟ ନାୟକ ଆମର
ଆହେ ତୁଙ୍ଗ ନେତା ଜାତିର ନିର୍ମାତା
ଘେନ ଜାତି ନମସ୍କାର l
