ଦ୍ବିତୀୟେ ବ୍ରହ୍ମଚାରିଣୀ
ଦ୍ବିତୀୟେ ବ୍ରହ୍ମଚାରିଣୀ
ନବରାତ୍ରୀ ପୂଜା ଦ୍ବିତୀୟ ଦିନେ ବ୍ରହ୍ମଚାରିଣୀ
ରୂପରେ ପୂଜିତା ମାଆ ଗୋ ତୁମେ ଗିରିନନ୍ଦିନୀ।
ତୁମେ ଦୁର୍ଗା ତୁମେ ପାର୍ବତୀ ତୁମେ ଉମା ଅପର୍ଣ୍ଣା
ଅସୀମ ମହିମାମୟୀ ଗୋ ଅନ୍ନପୂର୍ଣ୍ଣା ଅବର୍ଣ୍ଣା।
ଧୈର୍ଯ୍ୟର ସ୍ବରୂପ ମାଆ ଗୋ ତୁମେ ଶକ୍ତିରୂପିଣୀ
ତେଜରେ ତ ତେଜମୟୀ ଗୋ ଦେବୀ ତପଚାରିଣୀ ।
ପାର୍ବତୀ ରୂପରେ ଜନମି ଶିବେ ପାଇବା ପାଇଁ
ତପ ଆଚରଣ କରିଲ ଧ୍ଯାନେ ମଗନ ହୋଇ ।
ଶିବଙ୍କୁ ପାଇବା ପାଇଁକି ଘୋର ତପସ୍ୟା କଲ
ରାଜଜେମା ସୁଖ ନିମିଷେ ସବୁ ପାଶୋରି ଦେଲ
ଏମିତି କଠୋର ତପସ୍ୟା ମାତା କରିଲ ତହିଁ
ଶୀତ ଖରା ବର୍ଷା କାକର ସବୁ ଗଲ ଗୋ ସହି ।
ବିନା ଫଳ ମୂଳ ଆହାର ଜଳ ଛୁଇଁଲ ନାହିଁ
ମୁନି ଋଷି ହେଲେ ଆଶ୍ଚର୍ଯ୍ୟ ଦେଖି ନିଷ୍ଠାକୁ ସେହି।
କ୍ଷୀଣ ହୋଇଗଲା ମାଆ ଗୋ ତୁମ ସୁନ୍ଦର ରୂପ
ଶିବଙ୍କୁ ତୋଷିବା ପାଇକି ତୁମ କଠୋର ତପ।
ତୁମର ତପସ୍ୟା ନିଷ୍ଠାକୁ ଦେଖି ମୁନି ଋଷି ଯେ
ତୁମ ନାମ ବ୍ରହ୍ମଚାରିଣୀ ସେ ତ ଗାଇ ହେଲେ ଯେ।
ବ୍ରହ୍ମଚାରିଣୀ ହେ ମାଆ ଗୋ ଦେବୀ ଶାନ୍ତିରୂପିଣୀ
କମଣ୍ଡଳୁ ଜପା ମାଳି ଯେ ବେନି ହସ୍ତେ ଧାରିଣୀ।
ଶାନ୍ତ କମନୀୟ ରୂପରେ ମାଆ ହୁଅ ଗୋ ବିଜେ
ସଙ୍କଟୁ ତରିବା ପାଇଁକି ସାରା ଦୁନିଆ ପୂଜେ।
ତୁମ ନାମ ଜପି ତୁମକୁ ଯିଏ କରଇ ଧ୍ଯାନ
ସୁଖ ସମ୍ପଦ ସେ ଲଭଇ ପ୍ରାଣ ହୁଅଇ ଧନ୍ୟ
ବୈରାଗ୍ୟ ତ୍ୟାଗର ପ୍ରତୀକ, ତୁମେ ଶିଦ୍ଧିଦାୟିନୀ
କଠିନ ପଥକୁ ସରଳ ତୁମେ କର ଜନନୀ।
ତୁମେ ତ ସଞ୍ଜମ ଶୃଙ୍ଖଳା ଦିବ୍ୟ ମାର୍ଗଦର୍ଶିନୀ
ଚିନ୍ତା ଅବସାଦୁ ମାଆ ଗୋ ତୁମେ ମୁକ୍ତିଦାୟିନୀ।
ଦୂରାରୋଗ୍ୟ ବ୍ୟାଧି କବଳୁ ମାଆ ଦିଅ ମୁକତି
ସବୁଠି ବିଜୟ ହେବାକୁ ଭରି ଦିଅ ଶକତି।
ମାଆ ହେଲେ ବ୍ରହ୍ମଚାରିଣୀ ଶିବ ତପସ୍ୟା ମଗ୍ନ
ତାରକାସୁରର କବଳେ ସ୍ବର୍ଗ ହେଲା ଉଚ୍ଛନ୍ନ।
ବିଚରା ଦେବତା ପୁଣି ଯେ ଦୈତ୍ୟ ଅତ୍ୟାଚାରରେ
ଭୋଗିଲେ ନରକ ଯନ୍ତ୍ରଣା ରହି ସରଗ ପୁରେ।
କ୍ଷୀର ସାଗରରେ ବିଷ୍ଣୁଙ୍କୁ ସେ ତ ମିଳିଲେ ଯାଇ
ମୀନତି କରିଲେ ବିପଦୁ ରକ୍ଷା କରିବା ପାଇଁ।
ଦେବତାଙ୍କ ଦୁଃଖ ଦେଖି ତ ବିଷ୍ଣୁ ହେଲେ ସଦୟ
ଶିବ ପାର୍ବତୀଙ୍କ ବିବାହ ପାଇଁ କଲେ ଉପାୟ।
ବିଷ୍ଣୁଙ୍କ ଆଦେଶେ ମଦନ ତାଙ୍କ କାମ କମାଣେ
ସୃଷ୍ଟି ରକ୍ଷା ପାଇଁ ଶିବଙ୍କ ତପ ସେ ଭାଙ୍ଗି ଦେଲେ।
ଶିବ ପାର୍ବତୀଙ୍କ ବିବାହ ମହା ଆନନ୍ଦେ ହେଲା
ତାରକାସୁରର ନିଧନ ପଥ ମିଳି ଯେ ଗଲା।
