ଦାୟିତ୍ୱ
ଦାୟିତ୍ୱ


ମାନବ, କୀଟପତଙ୍ଗ, ପଶୁପକ୍ଷୀ
ମାତୃତ୍ବ ପ୍ରେମେ ସନ୍ତାନେ,
ଦାୟିତ୍ୱ ପାଳନ୍ତି ନିଜ ନିଜ ଧର୍ମେ
ସୃଷ୍ଟିର ରକ୍ଷା କାରଣେ,
ବସୁଧା ବି ତା' ପାଳନେ,
ଦାୟିତ୍ୱ ନିଭାଏ ସର୍ବେ ସର୍ବ ଦେଇ
ନିଃସ୍ବାର୍ଥ ପ୍ରେମ କାରଣେ ।
ପିତା, ମାତା, ଭାଇ, ଭଗ୍ନୀ ପରିବାରେ
ପରସ୍ପରେ ରଖି ପ୍ରୀତି,
ନୀତିନିୟମରେ ବାନ୍ଧିହୋଇ ସର୍ବେ
ନିଜ ଦାୟିତ୍ୱ ପାଳନ୍ତି,
ରଖି ହୃଦେ ସ୍ନେହ, ଭକ୍ତି,
ନିଜ ନିଜ ସମ୍ପର୍କର ସୂତ୍ରଟିକୁ
ଦୃଢ଼ କରି ଧରିଥା'ନ୍ତି ।
ପରିବାର, ଗ୍ରାମଠାରୁ ଦେଶେ ସର୍ବେ
ଶୃଙ୍ଖଳେ ଅନୁବନ୍ଧିତ,
ହୋଇ ନିଜ ନିଜ ଦାୟିତ୍ୱରେ ସଦା
ଥାଆନ୍ତି କର୍ତ୍ତବ୍ୟରତ,
ନିଜ କର୍ମେ ଅଭିପ୍ରେତ,
ହୋଇ ବାଣ୍ଟି ଚିଲିଥାଆନ୍ତି ସକଳେ
ମିଳେ ଯାହାକୁ ଯେମନ୍ତ ।
ସୂର୍ଯ୍ୟ, ଚନ୍ଦ୍ର, ତାରା ନିଜ ଦାୟିତ୍ବରେ
ହେଉଛନ୍ତି ଆତଯାତ,
ସାଗର ସେମିତି ନାନା ରତ୍ନ ବାଣ୍ଟି
ନିଃସ୍ବାର୍ଥେ ପାଳେ ଦାୟିତ୍ୱ,
ଜଗତକର୍ତ୍ତା ଜଗନ୍ନାଥ,
ପିତାର ଦାୟିତ୍ୱ ନିଭାଇ ସୃଷ୍ଟିର
ପଳନେ ସଦା ଜାଗ୍ରତ ।
ସାହିତ୍ୟିକମାନେ ଲାଗି ପଡିଥା'ନ୍ତି
ପାଳନେ ନିଜ ଦାୟିତ୍ୱ,
ତାଙ୍କର ଲେଖନୀ ଚାତୁର୍ଯ୍ୟତାପୂର୍ଣ୍ଣେ
ଭାଷା ହୁଏ ରୁଦ୍ଧିମନ୍ତ,
ଶିକ୍ଷା ବଢାଏ ମହତ,
ସର୍ବେ ନିଜର ଦାୟିତ୍ୱ ପାଳନରେ
ଜଗତଟା ଆଲୋକିତ ।