ଚଉପଦୀ - ଆଜ ଦେଖିଲିରେ ନବୀନ ବୟସୀ
ଚଉପଦୀ - ଆଜ ଦେଖିଲିରେ ନବୀନ ବୟସୀ
କବି - ଉପେନ୍ଦ୍ର ଭଞ୍ଜ
ରାଗ -ଆଶାବରୀ ତାଳ- ଆଠତାଳି
ଆଜ ଦେଖିଲି ରେ ।
ନବୀନ ବୟସୀ ବାଳା ।
ପାଇଥାନ୍ତି ଯେବେ ଚନ୍ଦ୍ରବଦନୀକି
କରିଥାନ୍ତି ଗଳାମାଳା । ଘୋଷା ।
ଦୂରୁ ଦେଖି ମୋତେ କୁରଙ୍ଗୀନୟନା
ତର ତର ହୋଇ ଗଲା ।
କାଖେ କୁମ୍ଭ ଘେନି ଲେଉଟି ଚାହାଁନ୍ତେ
ମଦନଶର ଦହିଲା । ୧ ।
ସୁନ୍ଦର କନ୍ଦର୍ପ ଦର୍ପଣ ପରାୟେ
ଝଟକୁ ଥିଲା ତା ମୁଖ ।
ଚାହିଁଲା ମାତ୍ରକେ କ୍ଷୟ ଗଲା ମୋର
ଅଙ୍ଗକୁ କନ୍ଦର୍ପଦୁଃଖ । ୨ ।
କୋଟି କୋଟି ଶିବ ସେବା କରିଥିବ
ଯେ ଥିବ ଗଙ୍ଗାରେ ଧ୍ୟାୟି ।
ବୋଲେ ଉପଇନ୍ଦ୍ର କବିକୁଳଚନ୍ଦ୍ର
ତା ସଙ୍ଗ ଲଭିବ ସେହି । ୩ ।
