STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଚପଲ ମୋହର ସାଥୀ

ଚପଲ ମୋହର ସାଥୀ

2 mins
133

କଞ୍ଜୁସ୍ ବୋଲିକି‌ ଭାବିବନି ମୋତେ

  ତୁମକୁ ରାଣ ରହିଲା 

ତୁମେ ନୁହଁ ଭାଇ ଚପଲ ମୋହର

  ଇଣ୍ଟିମେଣ୍ଟ୍ ସାଙ୍ଗ ପିଲା।


ତାକୁ ଛାଡି ମୁହିଁ ମୋତେ ଛାଡ଼ି ସିଏ

  ଦଣ୍ଡେ ବଞ୍ଚିପାରୁ ନାହୁଁ 

ମୁଁ ଶରୀର ହେଲେ ସିଏମୋର ଆତ୍ମା

  ସୁଖେ ଦୁଃଖେ ଚଳୁଥାଉ।


ଉତ୍ସବେ ବ୍ୟସନେ ଦୁର୍ଭିକ୍ଷେ ବିପ୍ଳବେ

  ରାଜଦ୍ଵାରେ‌ ଶ୍ମଶାନରେ 

ଶଶୁର ଘରଠୁଁ ପାଇଖାନା‌ ଯାଏ

  ସେ ଥାଏ ମୋର ସାଥିରେ।


ମୋର ପାଦ ସହ ତାଳ ଦେଇ ସିଏ

  ସବୁଠିକୁ‌ ଧାଉଁ ଥାଏ 

ପ୍ରତି ମୁହୂର୍ତ୍ତରେ ବାଟ ଚାଲିବାକୁ

   ତାକୁ ମୁହିଁ ଖୋଜିଥାଏ।


ପାଦ ତଳେ ସିନା ରହିଥାଏ ହେଲେ

   ମୋ ହୃଦରେ ତାର ଘର 

ବରା ଘୁଗୁନିର ସମ୍ପର୍କ ଭଳିଆ

  ଭାବ ଥାଏ ତାର ମୋର।


ସର୍ବମୋଟ ସେହି ହଳିଏ ଚପଲ

   ସିଏ ମୋର ଗଣ୍ଠିଧନ  

ଘୋରି‌ ହୋଇ ନୀଳ ଉଠିଲାଣି ସିନା

  ତା'ପାଖେ ଥାଏ ମୋ ମନ।


ଟେଏପ୍ ଅବଶ୍ୟ ଆଠ ଦଶ ଥର

   ସେଥିରୁ ଛିଣ୍ଡି ଗଲାଣି 

ତଥାପି ସେତେଟା ଟେଏପ୍ ସେଥିରେ

   ଲଗେଇ ମୁଁ ସାରିଲିଣି।


ଗୋଇଠି‌ ପାଖରୁ ଚପଲରେ ମୋର

   ଫୁଟି କଣା ଦିଶିଲାଣି 

ମୁଁ କିନ୍ତୁ ତାକୁ ଏତେ ଭଲ ପାଏ

   କେବେ ବି ଛାଡ଼ି ପାରୁନି।


ଚପଲ ସହିତ କାହିଁ ମୋର ଏତେ

   ବନ୍ଧୁତା ସମ୍ପର୍କ ଅଛି 

ଅସଲ ରହସ୍ୟ ଆମ ସମ୍ପର୍କର

   ଖୋଲି ମୁହିଁ ଜଣାଉଛି।


ତଳିପାଦେ ମୋର ବିଣ୍ଡି ଦୁଇଗୋଟି

   ସେ ଖାଲି ଦରଜ ହୁଏ 

ଫାଟି ଆଁ କରି ହସୁଥାଏ ପାଦେ

   ଜୀବନ ମୋ ଛାଡିଯାଏ।


ତେଣୁ ଚପଲଟି ଅତି ଆପଣାର

   ସିଏ ମୋ ଜୀବନ ସାଥୀ 

ସୁଖେ ଦୁଃଖେ କିନ୍ତୁ ଛାଡି ନାହିଁ ତାକୁ  

   ସେ ପରା ମୋ ଦିନ ରାତି।


ବିନା ଚପଲରେ ବାଟଟି ଚାଲିବା

   ମୋ ପକ୍ଷେ ସମ୍ଭବ ନୁହେଁ 

ଯେଣୁ ବିଣ୍ଡି ମୋର ପାଦ ତଳଟାରେ

   ଘର କରି ରହିଥାଏ।


ଗାଆଁରେ ମୋ ଘର ଗାଉଁଲି ମଣିଷ

   ଅଧାଳିଆ‌ କଳାକାର 

ମେଳା ଏକୋଇଶା ଗୀତ ଗାଇଯାଏ

   ଶିରିଣୀରେ‌ ମନ ମୋର।


ଯାଇଥିଲି ଭାଇ ଜଣଙ୍କ ମେଳାକୁ‌

   ଭଜନ ଗାଇବା ପାଇଁ 

ଭୋଗପାଇ ଦେଖେରଖିବା ଜାଗାରେ

   ଚପଲ ମୋ ସେଠି ନାହିଁ।


ଏମିତି ଲାଗିଲା ମୋ ଦେହରୁ କିଏ

   କିଡିନି କେ କାଢି ନେଲା 

ସତେ କିଏ ମୋର ବିଶ୍ବାସ ଘରକୁ

   ଗୋଇଠାଟି‌ ମାରିଦେଲା।


ଅନ୍ଧାର ଦିଶିଲା ଆଖିକୁ ମୋହର

   କିଛି ଜାଣି ନ ପାରିଲି  

ମୁଣ୍ଡ ବୁଲେଇଲା ବେହୋସ୍ ମୁଁ ହୋଇ

   ସେଇଠାର ପଡ଼ିଗଲି।


ଲୋକମାନେ ଆସି ପାଣି ଛାଟି ମୋତେ

   ସାଷ୍ଟାମ‌ କରାଇଦେଲେ 

ଚପଲ ଚୋରକୁ ତନ୍ନ ତନ୍ନ କରି

   ସେଇଠାରେ ଖୋଜୁଥିଲେ।


ପୁଣି କହୁଥିଲେ( ଏ )କଞ୍ଜୁସ୍ ଚପଲ

   ମଣିଷ ପିନ୍ଧିବେ ନାହିଁ 

କୁକୁରଟି ବୋଧେ ନେଇ ଯାଇଥିବ

   ଦାନ୍ତେ‌ କାମୁଡିକି‌ ସେହି।


ସତକୁ ସତ ଯେ ଚପଲଟି‌ ମୋର

   ପଡ଼ିଥିଲା ନିକଟରେ 

ହେଲେ କୁକୁରର ଦାନ୍ତ ଗୁଡ଼ା ବାଜି

   ନାହିଁ ସିଏ ଅବସ୍ଥାରେ।


ଭାବୁଥିଲି ସେଇ ଛିଣ୍ଡା ଚପଲକୁ

   ସାଥିରେ ମୁଁ ଆଣିଥାନ୍ତି 

ହେଲେ ଲୋକେ ମୋତେ ପରିହାସ କରି

   କଞ୍ଜୁସ୍‌ଟା କହୁଥାନ୍ତି।


ଭାବୁଥାଏ ମୁହିଁ ବିନା ଚପଲରେ

   କେମିତି ସେଠୁଁ ଆସିବି 

ଆଉ କାହାର କି ଚପଲ ଦେଖୁଛି

   ତାକୁ ପାଦେ ଗଳେଇବି?

ଏଭଳି ଅବସ୍ଥା ମୋର ହେବ ବୋଲି

   କେବେ ମୁଁ ଜାଣି ନ ଥିଲି 

ଚପଲ ଭଳିଆ ସାଥିଟି ହରେଇ

   ଲୁହ ଯାହା ଢାଳୁ‌ ଥିଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy