ଚିତଉ ଉଆଁସ
ଚିତଉ ଉଆଁସ
ଉତ୍କଳ ଭୂମିରେ ପାଳିତ ଏହାର
ପାଳିତ ବିଚ୍ଛନ୍ନାଞ୍ଚଳେ
ଶ୍ରାବଣ ମାସର ଅମାବାସ୍ୟା ତିଥି
ହୁଏରେ ଉଆଁସୀ କାଳେ।
ଚିତାଲାଗି ଅବା ଚିତଉ ଉଆଁସ
ନାମରେ ଏହୁ ବିଖ୍ୟାତ,
ଚିତା ଲାଗେ ଯହିଁ ଦାରୁବ୍ରହ୍ମଙ୍କରେ
ଦେଖନ୍ତି ଭକ୍ତ ସାକ୍ଷାତ।
ତିନି ଠାକୁରଙ୍କୁ ଚିତା ଲାଗେ ପ୍ରେମେ
ଦେଇ ଧୁପ ଦୀପ ପଦେ,
ଯହିଁ ଶ୍ରୀମନ୍ଦିର ଗୁଞ୍ଜି ଉଠୁ ଥାଏ
ଶଙ୍ଖ ମୃଦଙ୍ଗର ନାଦେ।
ଲଲାଟରେ ପଣ୍ଡା ଚିତା କୁ ଲଗାନ୍ତି
ଚିତାଲାଗି ଉଆଁସରେ,
ମନବାଞ୍ଛା ପୂର୍ଣ୍ଣ କରନ୍ତି ଠାକୁରେ
ଚିତଉର ଏ ପର୍ବରେ।
ଘରେ ଘରେ ପୁଣି ଚିତଉ ପିଠାକୁ
ଖୁଆନ୍ତି ଜୀବଜନ୍ତୁଙ୍କୁ
ଗେଣ୍ଡାକଟା ନାମେ ବିଖ୍ୟାତ ଏ ପର୍ବ
ଚିତା ଟି ଜଗନ୍ନାଥଙ୍କୁ।
ଚିତଉ ବିଲରେ କରି ପୂଜାର୍ଚ୍ଚନା
ଦିଏ ଫିଙ୍ଗି ଚାଷ ପାଇଁ,
ବିଲେ ଜୀବ ଜନ୍ତୁ ଖୁସି ସେ ରୁହନ୍ତି
ଚାଷର ସୁରକ୍ଷା ପାଇଁ।
ଦିଏ ସେ ପିଠାକୁ ଜଳାଶୟେ ପୁଣି
ଏହୁ ଚିତଉର ପର୍ବେ,
ଏହୁ କୃଷକଙ୍କ ଉତ୍ସବର ପର୍ଵ
କୃଷକ ପାଳନ ସର୍ବେ।
ଶ୍ରାବଣ ମାସର ଚିତଉ ଉଆଁସ
ପାଳିତ ତା ଘରେ ଘରେ,
ଚିତା ସେ ଲଗାନ୍ତି ଜଗାର ଲଲାଟେ
ଇଷ୍ଟଦେବଙ୍କୁ ଆଦରେ।
ନାହିଁ ବର୍ଷା ଆମ ବିଚ୍ଛନ୍ନାଞ୍ଚଳରେ
ସୁଖି ପଡ଼ି ଅଛି ଭୁଇଁ,
କିପରି ହେବରେ ଚାଷ କାର୍ଯ୍ୟ ଏଠି
ଦେଉ ଅଛି ଚିନ୍ତା ଛୁଇଁ।
ଭରସା ରହିଛି ପ୍ରଭୁ ଜଗନ୍ନାଥେ
ଲଲାଟେ ଦେବିରେ ଚିତା,
ମନବାଞ୍ଛା ପୂର୍ଣ୍ଣ କରିବେରେ ପ୍ରଭୁ
କିମ୍ପା ହୃଦେ ହୁଏ ଚିନ୍ତ ।
ପ୍ରେମ ଭକ୍ତି ଶ୍ରଦ୍ଧା କାଳିଆ ଚରଣେ
ରହୁ ପଦେ ସମର୍ପଣ,
ଭକ୍ତିପୂର୍ଣ୍ଣ ଚିତ୍ତେ ଚିତାକୁ ଲଗେଇ
କରିବା ସବୁ ଅର୍ପଣ।
ମନ ପ୍ରାଣ ପିଣ୍ଡ ସବୁତ ତାଙ୍କରି
କର୍ତ୍ତବ୍ୟ ଟି ନିତ୍ୟେ ଭକ୍ତି,
ଜଗତ ମଙ୍ଗଳ ତାଙ୍କରି ହସ୍ତରେ
ତାଙ୍କ ହସ୍ତେ ସବୁ ଶକ୍ତି।
ବିନତି କୃଷକେ ଜଗାଙ୍କ ଚରଣେ
ବର୍ଷା ଶୁଭାରମ୍ଭ ହେଉ,
ଚିନ୍ତିତ କୃଷକେ ହେଉ କୃଷି କାର୍ଯ୍ୟ
ଜଗତ ମଙ୍ଗଳ ହେଉ।
ନାହିଁ ବର୍ଷା ଗତି ବିଚ୍ଛନ୍ନାଞ୍ଚଳରେ
ବର୍ଷା ଏହୁ ଘନଘନ,
ହେଉ ଚାଷ କାର୍ଯ୍ୟ ଚାଷୀ ମାନଙ୍କର
ଚାଷୀଙ୍କୁ କର ପ୍ରସନ୍ନ।