STORYMIRROR

Binaya Bhusan Panigrahi

Abstract

3  

Binaya Bhusan Panigrahi

Abstract

ଚିଠିରେ ଜୀବନ

ଚିଠିରେ ଜୀବନ

1 min
406


ଚିଠି ଆସେ,

ପୋଷ୍ଟ କାର୍ଡରେ

ଅନ୍ତର୍ଦେଶୀୟ ପତ୍ରରେ ଅବା

ଜଉମୁଦ ଦିଆ ଲଫାପାରେ।


କେହିକେହି ପଚାରନ୍ତି,

କଅଣ ଥାଏ ସେ ଚିଠିରେ ?

କିଏ ପୁଣି କହୁଥାଏ,

କଅଣ ନଥାଏ ସେଥିରେ !

ଭଲମନ୍ଦ ରେ ସୀମିତ 

ଖବର କିଛି ଥାଏତ ନିଶ୍ଚିନ୍ତ

ମାତ୍ର,ଥାଏ ପ୍ରାୟ ନଥିଲା ପରାୟ,

ପ୍ରାଣର ପ୍ରାଚୁର୍ଯ୍ୟ କିନ୍ତୁ 

ଭରି ରହିଥାଏ।


ହଁ, ଚିଠିରେ ଭରସା ଆସେ,

ବିଶ୍ୱାସ ଓ ଆଶ୍ୱାସନା ଆସେ,

ଚିଠି ଆଣେ ରାଶିରାଶି ସ୍ୱପ୍ନ,

ଅୟୁତ ସମ୍ଭାବନା,ଅମାପ ଆୟୁଷ,

ଚିଠି ଆଣେ ପ୍ରୀତିର ପୀୟୂଷ,

ଚିଠିରେ ଜୀବନ ଆସେ 

ଆସେ ମଧ୍ୟ ମୃତ୍ୟର ଡାକରା।

କେବଳ ସେଇଥିପାଇଁ 

ଚିଠି ଲାଗି ଚାତକ ସମାନ

'ଅପେକ୍ଷା'ଟେ ଦାଣ୍ଡବାଡି ହେଉଥାଏ,

ନିଦ୍ରାକୁ ବିସ୍ମରେ ନୟନ,

କ୍ଷୁଧା କୁ ଉଦର,

ପ୍ରତୀକ୍ଷାରେ ଅତିକ୍ରାନ୍ତ ହୁଏ

ମାସ ପରେ ମାସ ,ବର୍ଷ ପରେ ବର୍ଷ

କେବେକେବେ ସୁଦୀର୍ଘ ଜୀବନ

ଛୋଟିଆ ମୁହୂର୍ତ୍ତ ପରି ।


ଚିଠିରେ ବ୍ୟସ୍ତତା ଥାଏ,

ଆଶା ଓ ନୈରାଶ୍ୟ ଥାଏ,

ଥାଏ ରାଗରୁଷା, ମାନ ଅଭିମାନ,

କେବେ ପ୍ରତିଶୃତି ଥାଏ

କେବେ ଥାଏ ପ୍ରତାରଣା,

ତଥାପି କେହି କେବେ

ଚିଠିକୁ ଦିଏନା ଦୋଷ,

ହତାଦୃତ ହୁଏନାହିଁ ଚିଠି,

ଚିରିଫାଡ଼ି ଫୋପଡା ହୁଏନା ।


ହାତକୁ ଛୁଇଁଲେ ଚିଠି

ସଦ୍ୟ ପ୍ରସ୍ଫୁଟିତ ମଲ୍ଲି ପାଲଟି

ଭରିଦିଏ ଫାଙ୍କା ହୃଦୟକୁ

ମଧୁର ବାସ୍ନାରେ, 

ବୋହିଆସେ ମୃଦୁ ସମୀରଣ

କେଉଁଏକ ଅବରୁଦ୍ଧ ଦିଗନ୍ତରୁ

ଉଡେଇ ନିଏ ଉଦାସପଣକୁ,

ଶୀତଳି ଯାଏ ବିଦଗ୍ଧ ପରାଣ

ସବୁଜ ସବୁଜ ଦିଶେ

ଦିଗ ରୁ ଦିଗନ୍ତ।


ଆନନ୍ଦର ସରୁ ଲତାଟିଏ 

ପଲ୍ଲବିତ ହେଇଯାଏ 

ଖରା,ବର୍ଷା, ଶୀତ, କାକରରେ,

ଡେରି ଟିକେ ହେଉ ପଛେ

କିଛିଗୋଟେ ଖବର ଆସିବ

ଭରସାର ଅସଂଖ୍ୟ ଅଫୁଟା କଢ଼ି 

ଓହଳି ଥାଏ ତା'ର ପ୍ରତ୍ୟେକ ଡେମ୍ଫରୁ।


ଚିଠି ଆସେ ,

ହସ କମ, ଲୁହ ବେଶି ଆଣେ,

ତଥାପି,ଆନନ୍ଦ ଥାଏ

ପେଟରା ରୁ ପୁରୁଣା ଚିଠିକୁ କାଢି

ଯେତେଥର ପଢିଲେ ବି

ସରେନାହିଁ ପଢା,

ଚିଠିରେ ଆୟୁଷ ଥାଏ 

ଦେହରେ ଭରିବାକୁ ପ୍ରାଣ,

ନହେଲେ କାହିଁକି

ଏତେବେଶି ଭଲଲାଗେ

ଚିଠିକୁ ଚାହିଁଚାହିଁ ଦିନ କାଟିବାରେ !!

======©=====



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract