STORYMIRROR

Aparti Charan Sethi

Abstract Tragedy

4  

Aparti Charan Sethi

Abstract Tragedy

ଚିଠିର ଦୁଃଖ

ଚିଠିର ଦୁଃଖ

1 min
33


ଇନ୍‌ଲ୍ଯାଣ୍ଡଲେଟର କିମ୍ବା ପୋଷ୍ଟକାର୍ଡ

   ଅଥବା 'ଲଫାପା' ହେଉ,

ଏସବୁକୁ ଆମେ ଅତି ସରାଗରେ

   ଚିଠି ବୋଲି କିନ୍ତୁ କହୁ।

ଦୂର ବିଦେଶୀଆ ବନ୍ଧୁ ବେଭାରର

   ମାଧ୍ୟମିଟି‌ ଥିଲା ଚିଠି,

ଲାଗୁଥିଲା ସତେ ବରଷାକୁ‌ ଯେହ୍ନେ

   ଚାହିଁଥାଏ‌ ଚାତକଟି‌।

କେଉଁ ପୁରାତନ ପୁରାଣ ଯୁଗରୁ

   ଚିଠିର ଚଳପ୍ରଚଳ,

ସେତେବେଳେ କିନ୍ତୁ ଚିଟାଉ ନାଆଁଟି

   ଥିଲା ଏହି ଚିଠିଟିର‌।

କେଉଁ ଯୁବରାଜ ପ୍ରେମଚିଠି କେଉଁ

   ରାଜକୁମାରୀକୁ ଦିଏ,

ପାରା ଡାକବାଲା ଭୂମିକା ନିଭାଏ

   ଏ କଥା ବି ଶୁଣାଯାଏ।

ଚିଠି ଆସିବାର ଅପେକ୍ଷାର ମଜା

   ଆଉ କେଉଁଥିରେ ନାହିଁ,

ଭଲ ପାଇବାର ଅକୁହା କଥାକୁ

   ଚିଠି ପରା ଦିଏ କହି‌।

ପ୍ରଥମ ପ୍ରେମର ଗୋଟିଏ ମାଧ୍ୟମ 

   କେବଳ ଥିଲା ଏ ଚିଠି,

ଆଜିକାଲି କିନ୍ତୁ ମୋବାଇଲ୍ ପ୍ରେମ

    ଯାଏ ସିନା ପାଣିଫାଟି‌।

ସାଇକେଲ ଚଢି ଡାକବାଲା ଡାକେ

    ମନରେ ଉତ୍ସାହ ଆସେ,

କାଳେ ପ୍ରିୟତମ ଚିଠି ଦେଇଥିବେ

    ପ୍ରିୟା ମନେ ମନେ ହସେ।

ଚିଠି ଲେଖା ଢଗ ଢମାଳି ସାହିରି‌

    ଦେଉଥିଲା ଭାରି ମଜା,

ଆଜି ସ୍ମୃତି ହୋଇ ରହିଗଲା ଯାହା

    ସ୍ମାର୍ଟ୍ ଫୋନ୍ ହେଲା ରଜା।

ଲୁଚି ଲୁଚି ଚିଠି ପଢ଼ା ଅନୁଭୂତି

    ଚାହିଁଲେ ଭୁଲି ହୁଏନି,

ଭଲ ପାଇବାର ପ୍ରସ୍ତାବକୁ ଚିଠି

    ଅନୁମୋଦନ କର‌ଇ।

ବିଦେଶରୁ ଥାଇ ପୁଅ ଚିଠି ଦେଲେ

   ବାପା ମାଆ ବ୍ୟସ୍ତ ହୋଇ,

ପଢୁଆ‌ ପିଲାଙ୍କୁ ନେହୁରା ହୁଅନ୍ତି

    ଚିଠିଟା‌ ପଢ଼ିବା ପାଇଁ।

ଗ୍ରିଟିନିସ୍ ରାକ୍ଷୀ ଦିଆ ହେଉଥିଲା

    ପୁଣି ଚିଠି ମାଧ୍ୟମରେ,

ଆଜି କିନ୍ତୁ ଚିଠି ବାକ୍ସ ଖୋଲିଦେଲେ

    ପାର୍ସଲ କେଇଟା ମିଳେ‌।

ଅନ୍‌ଲାଇନରେ କିଣାବିକା ଆଜି

    ମଦରୁ ଦୁଧ ପର୍ଯ୍ୟନ୍ତ,

ଡାକବାଲା ଭାଇ ଆଉ ଦିଶୁନାହିଁ

   ଶୁଭୁନି ଆଉ ତା' ଡାକ‌।

ଅତ୍ୟନ୍ତ ବିଶ୍ଵସ୍ତ ସଂସ୍ଥା ଏହି ପୋଷ୍ଟ‌

    ଅଫିସ ଆମର ଥିଲା,

ଆଜି କିନ୍ତୁ ଦେଖ ପବନକୁ ବିକି

    କମ୍ପାନୀ ଆଗେଇ ଗଲା‌।

ଫୋର୍‌ଜିଫାଇଭ୍‌ଜି ଇଣ୍ଟରନେଟ‌ଆଜି

    ସଭିଙ୍କୁ କଲାଣି ବାଇ,

ଜନ୍ମ ହେଲା ଛୁଆ ମୋବାଇଲ ଦେଖି

    ନ କାନ୍ଦି ଖେଳୁଛି ଭାଇ।

ଆପଣଙ୍କ ଚିଠି କାର୍ଯ୍ୟକ୍ରମ ଆଉ

    ରେଡ଼ିଓରୁ ଶୁଭୁନାହିଁ,

ରେଡ଼ିଓ ବି ଡାକ ଚିଠି ପତ୍ର ଭଳି

    ଆଜି ବି ଗଲା ଦୂରେଇ।

ଚିଠି ଯୁଗ ଆଜି ଚାଲି ତ ଗଲାଣି

    ତେଣୁ ଚିଠି ଦୁଃଖ କରେ,

ସ୍ମାର୍ଟ୍ ଫୋନ୍ ଆଜି ସାରା ଦୁନିଆଁକୁ

    ରଖିଛି ହାତ ମୁଠାରେ।

ଟେଲିଗ୍ରାମ, ଟେଲିଭିଜନ, କ୍ୟାମେରା

    ଟେପ୍ ରେକର୍ଡ କି ଘଡ଼ି,

ଏକା ସ୍ମାର୍ଟ୍ ଫୋନ୍ ଏହାଙ୍କ ଭୂମିକା

    ଅବିଳମ୍ଵେ‌ ଦିଏକରି।

ଦେଖାଯାଉ ପୁଣି ଆଗକୁ କ'ଣ

    ଆଉ କିଏ ସୃଷ୍ଟି ହେବ,

ସମୟ ଇଙ୍ଗିତେ‌ ମଣିଷ ତାହାକୁ

   ହସି ଆପଣେଇ ନେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract