ଚିତ୍ର ପ୍ରତିମା
ଚିତ୍ର ପ୍ରତିମା
ଉତ୍ତଳେ ଯନ୍ତ୍ରରେ କଳାଧଳା ପୁଣି
ରଙ୍ଗୀନ ଚିତ୍ର ପ୍ରତିମା
ଦିଶେ ଅବିକଳ ପ୍ରତିରୂପ ଛବି
ଯେସନ ଭାବ ଭଙ୍ଗିମା ।
ମାନସ ପଟରେ ଉଙ୍କିମାରେ ଯେଉଁ
ଦିବ୍ୟ ରୂପ ଗୁଣ ମାନ
ଆଙ୍କେ ଚିତ୍ର ଶିଳ୍ପୀ ଚିତ୍ର ପ୍ରତିମାକୁ
ଦେଇ ତାର ମନ ଧ୍ୟାନ ।
ଦେବୀ ଦେବତାଙ୍କ ଚାରୁ ଚିତ୍ରପଟ
ଅପୂର୍ବ ତେଜସ୍ଵୀ ରୂପ
ଦେଖିଲେ ମନରେ ଆସେ ଭକ୍ତି ଭାବ
ପ୍ରାଣ ହୁଏ ପୁଲକିତ ।
ମଣିଷ ନିଜର ଚିତ୍ର ପ୍ରତିମାକୁ
ଆହରେ ଯତନ କରି
ପ୍ରମାଣ ସ୍ୱରୂପ କରେ ବ୍ୟବହାର
ସଜାଏ ସ୍ଥାନ ଆବୋରି ।
ସବୁଜ ସୁନ୍ଦର ମନୋରମ ଦୃଶ୍ୟ
ବନ୍ୟ ଜୀବ ପଶୁପକ୍ଷୀ
ସହଜ ସୁଲଭେ ବିରଳ ସ୍ୱରୂପ
ଚିତ୍ରପଟେ ହୁଏ ଦେଖି ।
ଚିତ୍ରପଟ ଦେଖି ଯୋଡି ହୁଏ ମନ
ଭେଟଘାଟ ପ୍ରିୟ ପ୍ରିୟା
ଦୂରେ ଥିଲେ ମଧ୍ୟ ମଣନ୍ତି ନିକଟେ
ସହନ୍ତି ବିରହ ଜ୍ୱାଳା ।
ଯନ୍ତ୍ର କଉଶଳେ ଚିତ୍ର ପ୍ରତିମାରେ
କରି ଓଲଟପାଲଟ
ଠକ ଭଣ୍ଡ କିଛି ଭୁଆଁକୁ ବୁଲାନ୍ତି
ଦେଖାନ୍ତି ହଟଚମଟ ।
ଚାକ୍ଷୁଷ ପ୍ରତ୍ୟକ୍ଷ ଲୋଡ଼ା ତ ପ୍ରମାଣ
ହୋଇପାରେ ଛବି ମିଥ୍ୟା
ଚିତ୍ର ପ୍ରତିମାକୁ କେବଳ ପରତ
ନୁହେଁ ସତ ଭଲ କଥା ।
--------
