ଚଢେଇ ପ୍ରତି
ଚଢେଇ ପ୍ରତି


ଚଢେଇରେ ଚଢେଇ ତୁ ନହୁଅ ବିବ୍ରତ
ନୂଆ ନୁହେଁ ଝଡ ଏହି ନୂଆ ନୁହେଁ କିଛି
ଜାଣିନୁ କି ଧୈର୍ଯ୍ୟ ଏକା ଜୀବନର ବ୍ରତ
ଚୂର୍ଣ୍ଣ ହେଲା ସ୍ବପ୍ନ ଯାହା ଭାବିଥିଲୁ ଇଚ୍ଛି ।
ନଷ୍ଟ ହେଲେ ମରିହଜି ତୋ ନିଜ ଶାବକ
ରୋଦନ କଲେ କି ଏଠି ହେବ ଆଉ ଲାଭ
ପଡି ଉଠି ଜୀଇଁ ଗଲେ ସେ ଧର୍ମ ପାବକ
ଅତୀତକୁ ସ୍ମରି ଛାଡ ଏତେ ଶୋକରାବ ।
ଉଜୁଡିଲା ସଂସାର ତୋ ଜାଣିଛି ଚଢେଇ
ବାନ୍ଧି ଥିଲୁ ବସା ଯହିଁ ଛିଡିଲା ସେ ଡାଳ
ଛିଣ୍ଡା ପର କାଠି କୁଟା ଦେଉଛି ବଢେଇ
ଆଉ ଏକ ବସା ବାନ୍ଧ ଲାଗୁ ଯେତେ କାଳ ।
ଝଡ ଯେତେ ଆସୁ ପଛେ ନଯିବୁ ରେ ହାରି
ସଙ୍କଟରୁ ଦୁଇ ପ୍ରାଣୀ ମିଶି ହୁଅ ପାରି ।