ଚାଳ ଘରର ମୋହ
ଚାଳ ଘରର ମୋହ
ସଂସାର ଭିତରେ ଅତି ଆନନ୍ଦରେ
ବିତି ଯାଏ ମୋର ଦିନ
ମୋ ପରି ସୌଭାଗ୍ୟ ଅଛି କି କାହାର
ଯାତନାର ନାହିଁ ଚିହ୍ନ ।
ମଥା ଗୁଞ୍ଜିବାକୁ ଉପଲଭ୍ୟ ମୋତେ
ଖଣ୍ଡିଏ ତ ଚାଳ ଘର
ସେହି ଘର ମୋର ସରଗ ସମାନ
କରେ କେତେ ଉପକାର ।
ବିଚିତ୍ର ଦୁନିଆଁ ଜାଳି ଅହଂ ନିଆଁ
ଅଟ୍ଟାଳିକା କରେ ଛିଡା
ଚାବି କୋଲପରେ ଅବହେଳା ହୋଇ
ଗୃହ ପାଉ ଥାଏ ପୀଡ଼ା ।
ଯେଉଁ ଘରେ ନାହିଁ ସ୍ନେହ କି ମମତା
ସେ ଘରେ ଅଛି କି ସୁଖ
ଜଳେନା ପ୍ରଦୀପ କିବା ଗନ୍ଧ ଧୂପ
ଈଶ୍ଵର ହୁଅନ୍ତି ରୁକ୍ଷ ।
ଉନ୍ମୁକ୍ତ ଆକାଶେ ଜୀବନ ତରସ୍ତେ
ନାହିଁ ଖଣ୍ଡେ ଚାଳ ଘର
ମୋର ସୌଭାଗ୍ୟରୁ ଦନ୍ତ ରୁଅ ଦିଶୁ
ଲଭିଛି ମୁଁ ଉପକାର ।
ଗ୍ରୀଷ୍ମର ଉତ୍ତାପ କି ଅବା ସନ୍ତାପ
ଦୂର କରେ ଚାଳ ଗୃହ
ସନ୍ତାନ ସମାନ ପାଳୁ ଥାଏ ନିତି
ଦେଇ ତିରଣର ମୋହ ।
ଧୀରେ ଧୀରେ ସିନା ଚାଳ ଘର ଲୁଚେ
ଇନ୍ଦିରା ଆବାସ ପାଇ
ଅସଲି ସୁଖ ତ ଚାଳ ଘରେ ଥାଏ
ସଂଲଗ୍ନ ମାଟିର ଭୂଇଁ ।
ଝାଟି ମାଟି ଘର ମୋର ପ୍ରିୟତର
ଗ୍ରାମାଞ୍ଚଳେ ମନୋହର
ମୁଠାଏ ପଖାଳ ସେ ଘରେ ଭୁଞ୍ଜିଲେ
ସତେ ଲାଗେ ସ୍ବର୍ଗ ପୁର ।
ଝଡ ବରଷା ତ ଅତରା ଖସାଇ
ଚାଳ ଘର କରେ ଧ୍ୱଂସ
ସେହି ଭଗ୍ନ ଗୃହ କହି ଦେଉ ଥାଏ
ଦୁର୍ବଳ ନହୋଇ ହସ ।
ଭୋଗୁ ଥିଲେ ସୁଖ ଦୁଃଖ ଭାରି ଲାଗେ
ସତେ କି ପର୍ବତ ଗରୁ
ନିମ୍ନ ସ୍ଥାନେ ଥିଲେ ପତନର ଭୟ
ଲିଭି ଯାଏ ବହୁ ଦୂରୁ ।
ହେଉ ଚାଳ ଘର ମହତ ଅପାର
ଅନୁଭବି ଯାଯାବର
ଜୀବନରେ ମିଳୁ ମଥା ଗୁଞ୍ଜିବାକୁ
ଚାଳ ବହୁ ଗୁଣେ ସାର ।