STORYMIRROR

Binodini Dash

Inspirational

4  

Binodini Dash

Inspirational

ଚାଲ ହେ ପୂଜିବା ପିତାମାତାଙ୍କୁ

ଚାଲ ହେ ପୂଜିବା ପିତାମାତାଙ୍କୁ

1 min
268


ପିତାମାତା ଠାରୁ ବଡ଼ ନାହିଁ କେହି 

ଆମର ଏହି ମରତ ଭୂଇଁରେ

ସନ୍ତାନ ଜନ୍ମାଇ ମୁଖେ ହସ ଦେଇ

ବଡ଼ କରିଥା'ନ୍ତି ନାନା ସଂସ୍କାରେ ।


ଯେତେ କଷ୍ଟ ପଛେ ସହିବାକୁ ପଡୁ

ପିଲା ଖୁସିରେ କର୍ତ୍ତବ୍ୟମୁଖର

ନିଜ ପେଟ ପଛେ ପୁରୁ କି ନପୁରୁ

ପିଲା ପେଟ ପାଇଁ ସଦା ତତ୍ପର ।


ଅନବରତ ତା' ସ୍ନେହ ମମତାରୁ 

ଝରି ପଡେ ସତେ ପୀୟୁଷ ଧାରା

ପାନ କରିକରି ଜୀବ ହୁଏ ତୃପ୍ତ

ଅନୁଭବ ଜୀବନେ ଅପାଶୋରା ।


ପିତା ଛତ୍ର ସମ ବିପଦେଆପଦେ

ଅଭୟ ଆଶ୍ରୟ ମାଆ ପଣତ 

ଜୀବନର ଯେତେ ଖୁସି ମିଳିଥାଏ

ମଥା'ପରେ ଯେବେ ଦୁହିଁଙ୍କ ହାତ ।


ଛୁଞ୍ଚି ମୁନେ କଷ୍ଟ ଦେଲେ ତାଙ୍କ ମନେ

ନିଜ ଉପରକୁ ପାହାଡ଼ ସମ

ଏକଥା ନବୁଝି ଅଧମ ସନ୍ତାନ

ମିଛ ମାୟାମୋହେ ମତିକୁ ଭ୍ରମ ।


ଦେବତା ଆସନେ ବସାଇ ଯେ ପୂଜେ

ଉତ୍ତମ ସନ୍ତାନେ ଗଣା ହୁଅଇ

ଜୀବନରେ ସଦା ଦୋଳି ଖେଳେ ସୁଖ

ଦୁଃଖ ରହିଯାଏ ମୁହଁ ଲୁଚାଇ ।


ସଫଳତା ଶୀର୍ଷ ପାହାଚରେ ବସି

ଜୀବନ ସଂଗୀତ ନିଇତି ତୋଳି

ଗାଇ ଉଠେ ପ୍ରାଣ ଅତ୍ୟନ୍ତ ହରଷେ

ଆଦ୍ୟଗୁରୁ ମନ୍ତ୍ର ତୁଣ୍ଡରେ ବୋଳି ।


ମନ-ଜଳ ଢାଳି ଭକ୍ତି ପୁଷ୍ପ ଅର୍ପି

ଚାଲ ହେ ପୂଜିବା ପିତାମାତାଙ୍କୁ 

ଦୀପାଳି ପରାୟ ଜଳି ଉଠୁଥିବା

ଧ୍ୟାନ ରଖି ତାଙ୍କ ଚଉପାଦକୁ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational