STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Comedy

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Comedy

ଚାଲ ଆମେ ବାଛିବା ନେତା

ଚାଲ ଆମେ ବାଛିବା ନେତା

1 min
323

ଚାଲ ଆମେ ସେହି ନେତାଙ୍କୁ ବାଛିବା

    ଧରିବେ ଶାସନ ଡୋରି

ପ୍ରତିଶୃତି ଦେଇ ଲୋକଙ୍କୁ ଭଣ୍ଡେଇ

    ମନ ନେଉଥିବ ହରି ।।

କହି ଖଞ୍ଚ ମିଛ ନେଉଥିବ ଲାଞ୍ଚ

    ହୋଇଥିବେ ଟାଉଟର

ଜନତାଙ୍କ ଟଙ୍କା ମାରିପିଟି ଖାଇ

   କରିଥିବେ ଘରଦ୍ୱାର ।।

ନାମେ ଗଡୁଥିବ ଥାନାରେ ମାମଲା

   ଭୋଗିଥିବେ ଜେଲ ଦଣ୍ଡ 

ନିର୍ଦ୍ଦୋଷକୁ ମାରି ଦୋଷୀଙ୍କ ଉଦ୍ଧରି

   କରିଥିବେ କେତେ କାଣ୍ଡ ।।

ଯୋଗ୍ୟତା ନ ଥାଇ ଅଧା ପାଠୁଆଟି

    ନଥିବ ଯାହାର ଜ୍ଞାନ 

ଦୁଇ ହାତ ଯୋଡ଼ି କହୁଥିବେ କଥା

    ଥାଉ କି ନଥାଉ ମନ ।।

ବୟସ୍କଙ୍କୁ ଦେଖି ଲୋକ ଦେଖାଣିଆ 

    ହେଉଥିବେ ନମସ୍କାର

ପାଦ ଛୁଇଁବାକୁ ନଇଁ ଯାଉଥିବ

    ତଳକୁ ମୁଣ୍ଡ ତାଙ୍କର ।।

ଘର ଘର ବୁଲି ଛଳନାରେ ଚାଲି

    କହୁଥିବେ ଭଦ୍ର ବାଣୀ

ଭୋଟ ଖଣ୍ଡେ ପାଇଁ ଗାନ୍ଧୀ ନୋଟ ଦେଇ

    ପାରୁଥିବେ ମନ ଜିଣି ।।

ଭୋଅଟ ସରିଲେ ପ୍ରତିଶୃତି ଯେତେ

    ଯାଉଥିବେ ତା ପାଶୋରି

ପଚାରିଲେ କେହି ପ୍ରତିଶୃତି କାହିଁ

    କହୁଥିବେ ଅଛି ଡେରି ।।

କ୍ଷମତା ଲଭିଲେ ପାଦ ବଦଳରେ 

     ଧରୁଥିବେ ପୁଣି ଚୁଟି

ହିତାଧିକାରୀଙ୍କ ଯୋଜନା ଟଙ୍କାକୁ

    ନେବାପାଇଁ ଭାଗ ବାଣ୍ଟି ।।

ଯୋଗ୍ୟ ଅଯୋଗ୍ୟକୁ ବିଚାର ନ କରି

    ମାନୁଥିବେ ଦଳ ନୀତି 

ଯୋଜନା ଫଳକୁ ବାଣ୍ଟିବା ବେଳରେ

   ତୋଷୁଥିବେ ପ୍ରିୟାପ୍ରୀତି ।।

ଏମିତି ଲୋକଙ୍କୁ ବାଛିବା ସମସ୍ତେ

   ଭୁଲି ସବୁ ରାଗ ରୋଶ 

ବସେଇବା ତାଙ୍କୁ ଶାସନ ଗାଦିରେ

   ଲୁଟିବାକୁ ରାଜକୋଷ ।।

ନେତା ହୋଇ ସେହି ପାଞ୍ଚ ବର୍ଷ ପାଇଁ

    କରୁ ଦୁର୍ନୀତିର ଚାଷ

କୋଳି ଖାଇ କୋଳି ମଞ୍ଜି ପୋତୁ ଥାଉ

    ବୃଦ୍ଧି କରିବାକୁ ଵଂଶ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy