ବଉଳ ଲୋ ଆଜି ପରା ମାର୍ଗଶିର
ବଉଳ ଲୋ ଆଜି ପରା ମାର୍ଗଶିର


ବାଟି ଅରୁଆ ଚାଉଳ
ଝୋଟି ଆଙ୍କି ଦେବୁ ଘର ଦୁଆର
ମୋ ବଉଳ ଲୋ
ଆଜି ମାର୍ଗଶିର ଗୁରୁବାର
ବଉଳ ଲୋ ।
ଝୋଟିରେ ତିନି ଠାକୁର
ପୁଣି ଥିବ ଲକ୍ଷ୍ମୀ ପଦ ଯୁଗଳ
ମୋ ବଉଳ ଲୋ
ଫୁଟା ପଦୁଅଁ ଶୋଭା ଅପାର
ବଉଳ ଲୋ ।
ଗାଈ ଗୋବରକୁ ଆଣି
ଦ୍ୱାରେ ଗେଣ୍ଡୁ ଫୁଲ ଥୋଇବୁ ପୁଣି
ମୋ ବଉଳ ଲୋ
ମାଆ ନାମ ହେଉଥିବୁ ଗୁଣି
ବଉଳ ଲୋ ।
ଦୁବ ବରକୋଳି ପତ୍ର
ତୋଳି ଆଣି ରଖ ପାଶେ ତୁରିତ
ମୋ ବଉଳ ଲୋ
ସଜା ଝୁଣା ଧୂପ ଦୀପ ସେତ
ବଉଳ ଲୋ ।
ନୂଆ ଧାନ ନୂଆ ମାଣ
ଖଟୁଲିରେ ସଜା ଥୋଇ ବହନ
ମୋ ବଉଳ ଲୋ
ଗଳି ଗୁଆଟିଏ ଦେଇ ପୁଣ
ବଉଳ ଲୋ ।
ମଣ୍ଡା ଆରିସା କାକରା
କ୍ଷୀରି ଖେଚୁଡ଼ି କି କାନକା ଖୀରା
ମୋ ବଉଳ ଲୋ
ଦହି ପଖାଳେ ସନ୍ତୁଷ୍ଟ ପରା
ବଉଳ ଲୋ ।
ଭକ୍ତିରେ ସମର୍ପି ଦେବୁ
ମାଆ ଗୁଣ ଗାଥା ବସି ଗାଇବୁ
ମୋ ବଉଳ ଲୋ
ମାଆ ପ୍ରସାଦ କା'କୁ ନ ଦେବୁ
ବଉଳ ଲୋ ।
ବିଭା ହେଲା ଘର ଝିଅ
ସାହି ପଡିଶା ବା ଆଉ କେ ନୁହଁ
ମୋ ବଉଳ ଲୋ
ନିଜ ପରିବାରେ ତାକୁ ଦିଅ
ବଉଳ ଲୋ ।
ସନ୍ଧ୍ୟାରେ କରିବୁ ପଣା
ସମର୍ପି ଦେବୁ ତା ଚରଣେ ସିନା
ମୋ ବଉଳ ଲୋ
ମାଣ ସଜ ଉଠାଇବୁ ସିନା
ବଉଳ ଲୋ ।
ସେହି ମାଣ ଧାନ ରଖି
ଦୁଇ ତିନି ଥର ରାନ୍ଧିବୁ ଦେଖି
ମୋ ବଉଳ ଲୋ
ଭଲ ଦିନରେ ଦେବୁ ପରଶି
ବଉଳ ଲୋ ।