ବୁଦ୍ଧିମାନ୍ ହେଲେ
ବୁଦ୍ଧିମାନ୍ ହେଲେ
ପୁରୁଷ ଲୋକଟି, ବୁଦ୍ଧିମାନ୍ ହେଲେ,
ଶୀଘ୍ର ବଢେ ତା'ର ଧନ,
ନାରୀ ହୋଇଥାଏ, ବୁଦ୍ଧିମତୀ ଯେବେ,
ବଢ଼ଇ ଘରର ମାନ !
ଛାତ୍ର ହୋଇଥାଏ, ବୁଦ୍ଧିମାନ୍ ଯଦି,
ଗୁରୁଙ୍କ' ମର୍ଯ୍ୟାଦା ବଢେ,
ବ୍ୟବସାୟୀ ହେଲେ, ବୁଦ୍ଧିମାନ୍ ସିଏ,
ପାହାଚୁ ପାହାଚ ଚଢେ !
ନାଉରିଆ ହେଲେ, ବୁଦ୍ଧିମାନ୍ ତା'ର,
ନାଆ ବାହେ ସୁଅ କାଟି,
କୃଷକ ହୁଅଇ ବୁଦ୍ଧିମାନ୍ ଯେବେ,
ସୁନା କରିଦିଏ ମାଟି !
ପୁଲିସ୍ ହୁଅଇ ବୁଦ୍ଧିମାନ୍ ଯଦି,
ଖସି ପାରେନାହିଁ ଚୋର,
ଚୋର ହୋଇଥାଏ ବୁଦ୍ଧିମାନ୍ ଯେବେ,
ପୋଲିସ୍ ପାଏନା' ଟେର !
ନେତା ହୋଇଥାଏ, ବୁଦ୍ଧିମାନ୍ ଯଦି,
ଜିତେ ସେ ଜନତା ମନ,
ଭିକାରୀ ହୋଇଲେ, ବୁଦ୍ଧିମାନ୍ ତା'ର,
ଅଭାବ ରହେନା' ଅନ୍ନ !
ଗାଡିର ଚାଳକ, ବୁଦ୍ଧିମାନ୍ ହେଲେ,
ଯାତ୍ରୀଙ୍କ' ନ ଥାଏ ଚିନ୍ତା,
ଡାକ୍ତର ହୁଅଇ, ବୁଦ୍ଧାମାନ୍ ଯେବେ,
ଦୂର ହୁଏ ରୋଗୀ କୁନ୍ଥା !
ବ୍ରାହ୍ମଣ ହୁଅଇ ବୁଦ୍ଧିମାନ୍ ଯଦି,
ଅଧିକ ଦକ୍ଷିଣା ଖୋସେ,
ଚାକର ହୋଇଲେ,ବୁଦ୍ଧିମାନ୍ ସିଏ,
ମାଲିକର ମନ ତୋଷେ !
ଅତି ବୁଦ୍ଧିମାନ୍, ଭାବେ ଯେ ନିଜକୁ,
କାଉ ପରି ମଳ ଖାଏ,
ଭକ୍ତ ହୋଇଥାଏ, ବୁଦ୍ଧିମାନ୍ ଯେବେ,
ଈଶ୍ୱର ପାଖୁ ସେ ଯାଏ !