STORYMIRROR

SARATA KUMAR DAS

Fantasy Others

3  

SARATA KUMAR DAS

Fantasy Others

ବୁଢୀ ଅସୁରୁଣୀ

ବୁଢୀ ଅସୁରୁଣୀ

2 mins
320


ସ୍ପଷ୍ଟ ମନେପଡେ ଆଜି ମୋର

ମୋ' ପିଲାଦିନର ନଖରାମି

ଅଝଟ ହେଲେ ବୁଢୀ ମା'ର

ମଧୁର ତାଗିଦ୍

ଶୋଇପଡ୍ ରେ ଧନ ମୋର

ଯାଆନା ତୁ ବାହାରକୁ

ଡହ ଡହ ଫୁଟୁଛି ତାତି

ନିଛାଟିଆ ଖରାବେଳ ଖାଁ ଖାଁ ଗାଁ ଦାଣ୍ଡ

ଆଖି ମଟ ମଟ କରି ବୁଲୁଛି ଚଉଦିଗ

ଆଲୁରା ମୁଣ୍ଡରେ ବୁଢୀ ଅସୁରୁଣୀ

ନେଇଯିବ ଧରି ତା' କୁହୁକ ମୁଣିରେ ।।

ମୁଁ' ବି ଡରି ଯାଉଥିଲି

ବୁଢୀ ଅସୁରୁଣୀ ନାଁ ଶୁଣି

ଆଖିବୁଜି ଶୋଇପଡୁଥିଲି

ନିଘୋଡ ନିଦରେ

ବୁଢୀ ମା' କୋଳରେ ମୁଣ୍ଡ ଜାକି

କୁଣ୍ଢେଇ ଧରୁଥିଲି ତା' ଚମ ଧୁଡୁ ଧୁଡୁ

ଶୁଖିଲା ଦେହକୁ ଅଜଣା ଭୟରେ

କାଳେ ନେଇଯିବ ମୋତେ ମୁଣିରେ ପୂରେଇ

ବୁଢୀ ଅସୁରୁଣୀ କେଉଁ ଏକ କୁହୁକ ଦ୍ବୀପକୁ ।।

କେବେ କେମିତି ନିଦ ଭାଙ୍ଗିଗଲେ

ନିଦ ମଳ ମଳ ଆଖିରେ

ସ୍ପଷ୍ଟ ମୁଁ' ଦେଖିପାରୁଥିଲି

ବୁଢୀ ଅସୁରୁଣୀର ସମ୍ପୁର୍ଣ୍ଣ ଚେହେରା

ହାଣ୍ଡିକଳାପରି ମୁହଁ

ଲମ୍ବା ଲମ୍ବା ଚୁଟି , ଲମ୍ବା ଲମ୍ବା ନଖ

ଆଉ ଲମ୍ବା ଲମ୍ବା ଦାନ୍ତ ସହ

ବିକଟାଳ ହସ ।।

ଶୀତେଇ ଯାଉଥିଲି ଭୟରେ

ମୁଦି ହୋଇଯାଉଥିଲା ଆଖି ପତା

ମୋ' ଝାଳ ଜୁଡୁବୁଡୁ ଦେହରେ ହାତ ମାରି

ବୁଢୀ ମା' କହୁଥିଲା ,

"ବେଳ ଉଛୁର ହେଲାଣି ଆଜି

କାମସାରି ଚାଲି ଗଲାଣି

ବୁଢୀ ଅସୁରୁଣୀ ତା' ଘରକୁ

ଆସିବ କାଲି ଫେରି ଏହି ସମୟରେ

ଯଦି ତୁ ଦୁଷ୍ଟ ହେବୁ ପୁଣିଥରେ

ଉଠିପଡ୍ ଯା' ଖେଳିବୁ ବାହାରେ "।।

ଦିନେ ଡରି ଡରି ବାପାଙ୍କୁ ପଚାରିଲି

"ଦେଖିଛ କି କେବେ ତୁମେ

ବୁଢୀ ଅସୁରୁଣୀକୁ କେଉଁଠି ?"

ଅବଶ୍ୟ ବାପା ସେଦିନ ରାଗିଲେନି ଜମା

ଗମ୍ଭୀର ସ୍ବରରେ ଉତ୍ତର ଦେଲେ

"ମୁଁ ବି କେବେ ଦେଖିନାହଁ ,

ଶୁଣିଛି ସେ ବୁଲୁଥାଏ ଘିରୀ ଘିରୀ

ନଈପଠା ଅବା ନିଛାଟିଆ ଗହିରି ବିଲରେ" ।।

ଭାବିଲି ନିଶ୍ଚୟ ଦେଖିବି ଆସନ୍ତା ରବିବାର ଦିନ

ବୁଢୀ ଅସୁରୁଣୀକୁ ଯେକୌଣସି ପ୍ରକାରେ

ବାପା ଘରେ ନଥିବେ

ପାଠ ପଢା ବି ନଥିବ

ଛୁଟିଦିନ, ମଉଜର ଦିନ

ପଚାରିବି ତାକୁ

କହିଁକି ବୁଲେ ସେ ନିଛାଟିଆ ଖରାବେଳେ

ଡରିବିନି ମୁଁ , ଆଦୌ ନୁହେଁ ।।

ଲୁଚି ଲୁଚି ଏକା ଘରୁ ବାହରିଲି

ଭୟଲାଗୁଥିଲେ ବି ସାହାସ ବାନ୍ଧିଲି

ଏଣେତେଣେ ବୁଲିଲି ,ଖୋଜିଲି କେତେ

କିଆବୁଦା ,ଆମ୍ବତୋଟା ,ବିଲବଣ

ମାତ୍ର,କହିଁ କେଉଁଠି ଦେଖିଲିନି

ତା' ପାଦଚିହ୍ନ ,ଲମ୍ବା ଲମ୍ବା ହାତ

କଳା ମଚମଚ୍ ବିକଟାଳ ରୂପ

ଭାବିନେଲି ଆଜି ରବିବାର

ବୋଧହୁଏ ଆଜି ତା'ର ଛୁଟିଦିନ

ଆସିବି କାଲିକି ଭେଟିବି ନିଶ୍ଚୟ

ରାତି ହେଉ ଅବା ଦିନ

ଡରିବିନି ଜମା, କେବେ ବି ନୁହେଁ ।।


ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy