ବରଷି ଯାଆ ତୁ
ବରଷି ଯାଆ ତୁ
ବରଷି ଯାଆ ତୁ ମନଭରି ଅସୁମାରୀ ସ୍ମୃତି ହୋଇ,
ଇଚ୍ଛା ମୋର ଭିଜିବି ଗୋଟାପଣେ,
ଜହ୍ନର ଶୀତଳ ଆଲୋକରେ ,
ତାରାମାନଙ୍କ ଗହଣରେ ଅନେକ ଦିନ ପରେ,
ଅଣ୍ଟାରୁ ଖସି ପଡୁଥିବା ସ୍ମୃତି ସବୁକୁ,
କେତେବା ସମ୍ଭାଳି ପାରିବି ସାତଚିରା ଲୁଗା ଖଣ୍ଡିରେ,
ଯେଉଁଠି ବି ମନ ଭରି କାନ୍ଦିବା ମନା ।
ଉଦାସ ହୋଇ ପଡୁଥିବା ଇଚ୍ଛା ସବୁ,
ଆଜିକାଲି ନିସ୍ତେଜ ଶବ ପରି ରାଜରାସ୍ତା କଡରେ,
ଅନେକ ଆସନ୍ତି ଦେଖନ୍ତି ଓ
ହସନ୍ତି ଗରିବର ଝିଅକୁ ସମସ୍ତଙ୍କର ମାଇକିନିଆ କହି,
ବଡ଼ ବିଚିତ୍ର ଏ ଦୁନିଆ,
ଗରୀବର ପଛେ ମୁଣ୍ଡ ନୁଖୁରା ରହୁ,
ଧନୀର ଅଗଣା ବାଡ଼ିରେ ମଦର ବନ୍ୟା,
କିଏ ଏଠି କାହାର ବିନା ସ୍ୱାର୍ଥରେ ଏଠି,
ହେଲେ ତୁ ତ ଅଛୁନା ମୋ ଲାଗି ।
ଏବେ ଏବେ ଭାବନା ସବୁ ଆଉ ଆଗ ଭଳି ନାହାନ୍ତି,
ଆଗ ଭଳି ଲୁହ ପରିବର୍ତ୍ତେ ଏବେ ସେମାନେ ଶଙ୍କାକୁଳ ନୁହନ୍ତି,
ପ୍ରତି ମୁହୂର୍ତ୍ତରେ ବିଦ୍ରୋହର ନିଆଁ,
ତେଣିକି ଯେତେ ମନ କି ବନ ପୋଡ଼ୁଛି ପଡୁ ,
ଇଚ୍ଛା ନାହିଁ ଆଉ ଦେବୀ ମୂର୍ତ୍ତିକୁ ଜୀବନ୍ୟାସ ଦେବାକୁ,
କିଏ ବା ବୁଝିବ ସେ ସର୍ଜନାର ଭାବନାକୁ,
ଖାଲି ମାଲିକ ଆଉ ଶ୍ରମିକର ଭାବନାରେ,
ହେଲେ ତୁ ଅଛୁ ରହିବୁ ମୋର ସ୍ମୃତିର ହିମାଳୟ ହୋଇ,
ସମୟ ଅସମୟରେ ମୋତେ ଫେରେଇନେବାକୁ ଅତୀତକୁ ।