ଚିଠି
ଚିଠି
ସ୍ପନ୍ଦିତ ହୁଏ ହୃଦ
ଉଦ୍ବେଳିତ ପ୍ରାଣ
ଗଦଗଦ୍ ମନ
ଲୁହ, କୋହ, ମୋହରେ ଭିଜି
ହଳଦୀବସନ୍ତ ଉଡିଯିବା
ଦୁଇଟି ବଣି ଦେଖି
ହେଉଥିଲା ଆକଳନ
ହୁଏତ ଆସିବ
ପରଦେଶୀ ବନ୍ଧୁ ପାଖରୁ
ପତର
ନିର୍ଜୀବ ଅକ୍ଷର
ଭର୍ତ୍ତି ଥିବ ସ୍ନେହ ଶ୍ରଦ୍ଧା,
ପ୍ରେମର ଅତର
ବାନ୍ଧୁଥିଲା ବନ୍ଧ ଯେ
ଦୁଇ ହୃଦୟର।
ଆଦ୍ୟ ଯୌବନ
କୋମଳ ଅୟୁତ ଜିଜ୍ଞାସାର
ସ୍ୱାକ୍ଷର ବହନ କରି
ପଡୁଥିଲା
ବାପା ଭାଇ ହାତେ
ଯେବେ ପ୍ରଥମ ପ୍ରେମ ପତର
ବର୍ଷୁଥିଲା ଗାଳି କାଚୁଥିଲା ପାଞ୍ଚଣ ପାହାର।
ପଠେଇଥିବା ବ୍ୟକ୍ତି
ଅକ୍ଷର ଭିତରେ ହଜେଇ
ବସୁଥିବ ପାଖ
ତତାଉଥିବ
ଝୁରାଉଥ
ିବ
ହସାଉଥିବ
ଅଭିମାନରରେ
କମ୍ପିତ ହେଉଥିବ ଓଠ
ଲମ୍ବା ହେଉ ଥିବ ଶ୍ୱାସକ୍ରିୟା
ପେଟେଇ ପଢ଼ୁଥିବ
ମୁର୍କି ମୁର୍କି ହସୁଥିବ
ଭସାଉ ଥିବ ସପନ ସାଗର।
ଚିଠି ଆଜି ସତ୍ତା ହଜେଇ
ଡାଓନୋସର
ବିଲୁପ୍ତ ହେବାକୁ ବସିଲାଣି ସେ
ଆଖିରେ ତା ଲୁହ ଢଳ ଢଳ
ତଥାପି
ସାଇତି ରଖିଛି
ବାପାଙ୍କୁ ମୋର
ଯତନେ
ଯେ ବହୁ ଛୋଟ ବେଳୁ
ଆକାଶର ତାରା
ତାଙ୍କ ହାତ ଲେଖା ଚିଠି ଭିତର।
ଛୁଏଁ ଯେବେ ସେ ଚିଠି
ଛୁଇଁ ଦିଏ ବାପାଙ୍କୁ ମୋର
ଲୁହ ନିଜ ଅଜାଣତେ
ତିନ୍ତାଏ
ଆତ୍ମା ମୋର
ବାପା ମୟ କିଛି କ୍ଷଣ ହୋଇଯାଏ
ଏ ସାରା ସଂସାର।