ଆଧୁନିକା ନାରୀ
ଆଧୁନିକା ନାରୀ
କୁନ୍ତଳା କୁମାରୀ, ରାଣୀ ଲକ୍ଷ୍ମୀବାଇ
ଶୈଳବାଳା, ରମା ଦେବୀ,
ସ୍ୱାଧୀନ ଭାରତ ଆକାଶର ସିଏ
ଜଣେ ଜଣେ ମହା ରବି ।
ଛୁଇଁ ନାହିଁ ତାଙ୍କୁ ଅର୍ଥର ଲାଳସା
ଛୁଇଁ ନାହିଁ ମୋହ ମାୟା,
ସାଲିସ କରିନି ବିଦେଶୀ ପୁଞ୍ଜିର
ଗୋଲାମ ହେବାର ଦୟା ।
ନିର୍ଭୀକ ସିଏ ଜନନୀ, ଭଗିନୀ
ବୀରାଙ୍ଗନା ଧରା ବକ୍ଷେ,
ପଙ୍ଗୁ ହୋଇଛି ପୁରୁଷ ପୁଙ୍ଗବ
କରି ଚିତ୍କାର ଲକ୍ଷେ ।
ଆଧୁନିକା ନାରୀ ସଭ୍ୟତା ବଳେ
ଲଙ୍ଘିପାରେ ମହା ଗିରି,
ଜାଗ୍ରତ ହୁଅ କରବାଳ ଧରି
ଯାଅ ନାହିଁ ତୁମେ ଡରି ।
ଶେଫାଳି ଫୁଲର ପାଖୁଡା ପରାଏ
ଫୁଟି ଝରି ଯାଅ ନାହିଁ,
କ୍ଷୁଦ୍ର ହେଲେ ବି ଦୀପଶିଖା ସମ
ଆଲୋକିତ କର ମହୀ ।
ଜନ୍ମ ତୁମର ନୁହଁଇ ରାତିରେ
ବିବସ୍ତ୍ର ହେବାର ସଂଜ୍ଞା,
ନୁହେଁ କ୍ରୀତଦାସୀ ସାଜିବାକୁ କାର
କରିବାକୁ କାର ଆଜ୍ଞା ।
କଲମ ମୁନରେ ଚୁରମାର କର
ନିର୍ଯ୍ୟାତନାର ଦୁର୍ଗ
ନିର୍ମାଣ କର ମେଦିନୀ ବକ୍ଷେ
ଭାତୃ ଭାବର ସ୍ୱର୍ଗ ।