STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ବର୍ଷାଋତୁର ଚିତ୍ରପଟ୍ଟ

ବର୍ଷାଋତୁର ଚିତ୍ରପଟ୍ଟ

1 min
388


ଏଇ ବହୁବର୍ଣ୍ଣା ବର୍ଷାଋତୁ

କାହା ପାଇଁ କେମିତି?

ମାଟିର ମଣିଷ କୃଷକ 

ପାଇଁକି ଅଟେ ଦାନାପାଣି

ଲୋଟେ ସେ କାଦୁଅ ପଙ୍କରେ

ଖେଳାଏ ସୁନାର ଫସଲ କ୍ଷେତରେ

ଆହାର ଦିଏ ଦୁନିଆ ତୁଣ୍ଡରେ!!

ଦିନ ମଜୁରିଆ ପାଇଁ ଅନାହାର 

ରହେ ସେ ଉପବାସରେ 

ଚୁଲି ତାର ଜଳେନି

ଅନ୍ନ ମୁଠେ ଜୁଟେନି

ବିନା ମଜୁରୀ ପ୍ରାପ୍ତିରେ!!

କୂଟୀର ନିବାସୀର ଦୁଃଖ 

କହିଲେ ନ ସରେ 

ଘର ଭିତରେ ଭାଙ୍ଗେ ଲହଡି଼ 

ଖେଳେ ରାସ କେଳି

ଏଇ ଅମାନିଆ ବର୍ଷା ପାଣି!!

ଚପଳମତି ବିଦ୍ୟାର୍ଥୀ ଲେଖେ 

ରଚନା "ବର୍ଷାଋତୁ"ର

ମୁଖର ବର୍ଣ୍ଣନା ତା'ର ଖାତାରେ

ମନ ଭରିଗଲେ କାଗଜ ଚିରି

ଭସାଇଦିଏ ଡଙ୍ଗା କରି ଗାଁ ଦାଣ୍ଡରେ!!

ଅନୁଭବ ରହିତ ବିଳାସୀ ସାହିତ୍ୟିକ

ବାତନୁକୂଳିତ ପ୍ରେକ୍ଷାଳୟରେ 

ବହୁ ଆଡମ୍ବରରେ ଜମାନ୍ତି କବିତା ଆସର

କରନ୍ତି ସୌଖୀନ ସାହିତ୍ୟ ସାଧନା

ଚତୁର୍ମାସ୍ୟାରେ ବାଣୀ ଆରାଧନା!!

ବହୁରୂପୀ ବହୁବର୍ଣ୍ଣା ଏଇ ବର୍ଷାରତୁ 

କେବେ ବର୍ଣ୍ଣିଳ ସ୍ୱପ୍ନିଳ ଇନ୍ଦ୍ରଧନୁ 

ତ କେବେ ତାଣ୍ଡବର ବିଭୀଷିକା

ପ୍ରେମୀ ଲାଗି ପ୍ରଣୟର ଛିଟା

ତ ବିରହୀ ଲାଗି ଅଗ୍ନି ପିଣ୍ଡୁଳା!!

ଏଇ ବର୍ଷାଋତୁ ସାଥେ ତାର

ଆଣେ କେବେ କରାଳ ବନ୍ୟା

ତ କେବେ ପ୍ରଳୟଙ୍କାରୀ ଘୂର୍ଣ୍ଣିଝଡ଼ 

ଭାଙ୍ଗିଦିଏ ବିପନ୍ନର ପିଞ୍ଜରା ହାଡ଼!!

ଏଇ ବହୁରଙ୍ଗୀ ବର୍ଷାଋତୁ

କାହା ପାଇଁ ଦାରୁଣ ବିପତ୍ତି 

ତ କାହା ପାଇଁ ମିଳନର ମଧୁରାତ୍ରୀ

ବଡ଼ ବିଚିତ୍ର ତା' ମତିଗତି 

କ୍ଷଣି କ୍ଷଣି ବଦଳାଇ ଚିତ୍ରଲିପି

ଆଙ୍କେ କାହାର ସମୃଦ୍ଧି

ତ ଆଉ କାହାର ଦୁର୍ଗତି!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational