ବର୍ଷାକାଳ
ବର୍ଷାକାଳ
ଉତ୍ତପ୍ତ ମହୀ ଶୀତଳ ପାଇ ବାରି ଧାରା
କାଳ ଆବର୍ତ୍ତନେ ଗଲା ଗ୍ରୀଷ୍ମ ତପ୍ତଖରା l
ଅତି ରମଣୀୟ ବିଜେ ଏବେ ବର୍ଷାକାଳ
ଟାଙ୍ଗର ଧରଣୀ ଦିଶେ ସବୁଜ ଶ୍ୟାମଳ l
ବାରିଦ ମାଳେ ଆକାଶୁ ବରଷନ୍ତି ନୀର
ସାଧବବୋହୁ ଘାସରେ ଧାଏଁ ତରଭର l
ଘୋର ବଜ୍ରପାତ ଦେଖ ପ୍ରକମ୍ପିତ ମହୀ
ବିଦ୍ୟୁଲତା ମେଘମାଳେ ଦିଏ ଝଟକାଇ l
କଳାମେଘ ଦେଖି ବନେ ନାଚଇ ମୟୁର
ପୁଚ୍ଛ ଦିଶଇ ତାହାର କେଡ଼େ ମନୋହର l
ପ୍ରାଣୀ ପାଦପେ ଜୀବନ ବରଷାର କାଳ
ଚାତକ ବନ୍ଧୁ କେବଳ ଚାତକେ ସମ୍ବଳ l
ଫରସା ହୋଇଛି ଭୂମି ପାଇ ବର୍ଷା ଜଳ
ଚଷା ଭାଇ ଫିଟାଇଛି ବିଲରେ ଲଙ୍ଗଳ l
କଦମ୍ବକୁସୁମେ ଶୋଭା ବନ ତୋଟାମାଳ
ବନେ ଗୋରୁ ଚରାବନ୍ତି ମଦନ ଗୋପାଳ l
ବର୍ଷା ଜଳେ ରଜସ୍ଥଳା ମାତା ବସୁନ୍ଧରା
ରଜ ପରଵ ଆସିଲା ବାଜିଲା ନାଗରା l
ବେଙ୍ଗ ଦେଲେ ହୁଳହୁଳି ଢାଳିଦିଅ ଇନ୍ଦ୍ର
ଛତ୍ରପ୍ରାୟ ଗୋବର୍ଦ୍ଧନ ଧରିଲେ ଗୋବିନ୍ଦ l
ବର୍ଷାକାଳ ଅଟେ ଭାଇ ଗ୍ରୀଷମର ଦାନ
ଧନ୍ୟ ସୃଷ୍ଟି କର୍ତ୍ତା ଧନ୍ୟ ୠତୁ ଆବର୍ତ୍ତନ l
