ବର୍ଷାହୀନ ଶ୍ରାବଣ
ବର୍ଷାହୀନ ଶ୍ରାବଣ
ବର୍ଷାହୀନ ଏହି ସିନ୍ଧୁ ତଟପରେ
ଭାସିଆସେ ଉର୍ମି ଉନ୍ମାଦ ଗର୍ବରେ ।।
ଘନ ଜଳଦର ଆଭାସ ବି ନାହିଁ
ତୃଷାକ୍ତ ଧରଣୀ ରହିଛି ଅନାଇ।।
ମୁହୂର୍ତ୍ତକେ ଆସି ଫେରିଯାଏ ସେ ତ
ଜନହୀନ କୂଳ ଦୁଃଖ ଅବସାଦ।।
ନାହିଁ କୋଳାହଳ ,ବିଜନ ବିପଣୀ
ସୌନ୍ଦର୍ଯ୍ୟ ପିପାସୁ କାହିଁ ଗଲେ ପୁଣି ?
କେତେ ଚିତ୍ରପଟ ମନେ ଆଙ୍କୁଥିଲେ
ତା ରୂପରଂଗରେ ମଜ୍ଜି ଯାଉଥିଲେ ।।
କିଏ ତା ଲାଳିତ କରଇ କଳନା
କୃତଜ୍ଞତା ଶବ୍ଦେ ଈଶ୍ବର ସର୍ଜନା।।
ତା ଗର୍ଜନେ ଲୁପ୍ତ ମଧୁର ରାଗିଣୀ
ପାନକଲା ବ୍ୟକ୍ତି ଥାଏ ତାହା ଜାଣି।।
ଜୀବିକା,ଜୀବନ ବନ୍ଧା ତା'ର ସାଥେ
ବାହିନିଏ ପୋତ ତା ବକ୍ଷରେ ପଥେ।।
ଘୋଟିଆସେ ମେଘ କଳା ଛତ୍ର ପ୍ରାୟ
ସନ୍ଧ୍ୟା ଦୃଶ୍ୟମାନ ଭୀତିର ସଂଚୟ।।
କ୍ଷଣ କ୍ଷଣ ରହି କ୍ଷଣପ୍ରଭା ଧାଇଁ
ସତେ ଲୁଚକାଳି ଖେଳ ଖେଳୁଥାଇ।।
ନାବିକ ମନରେ ଭୟ ଦିଏ ଗ୍ରାସି
ମାଆ ସିନ୍ଧୁଜେମା ଦୃଦୟେ ମନାସି।।
ପୁଣି ଗାଏ ତା'ର ଭାବମୟ ଗୀତ
ଦୁଃଖସୁଖେ ପରା ଗଠିତ ଜଗତ।।
ସହାସ୍ୟ ବଦନ ଦେଖାଦେଇ ଧୀରେ
ମେଘ ଚାଲିଯାଏ ଆପଣା ରାସ୍ତାରେ।।
ଧବଳ ଆକାଶ ଖଣ୍ଡ ମେଘମାଳା
ଶ୍ରାବଣ ବରଷା ଲୁଚି ଆସେ ଖରା।।
ଦିନେ ପୁଣି ମୁହିଁ ହୋଇ ଅମାନିଆ
ଭିଜିଥିଲି,ବର୍ଷା ଦେଇଥିଲା ଛୁଆଁ।।
ଗପୁଥିଲି କେତେ କଥା ତା ସାଥିରେ
କିଶୋରୀ ବୟସେ ଅନୁରାଗଟିରେ।।
ଭାବ ବିହ୍ବଳତା ପ୍ରେମସୁଧା ବାଣୀ
ମହୋଦଧି ହସିଥିଲା ତାହା ଶୁଣି।।।
ବହୁଦିନୁ ଥିଲା ଏହି ଅଭିଳାଷା
ଭିଜିବି ପାଣିରେ ଛାଡି ରାଗରୁଷା।।
ଅପେକ୍ଷାରେ ଦିନ ପରେ ଦିନ ଯାଏ.
ଶ୍ରାବଣର ବର୍ଷା ଫେରିନି ଏଯାଏଁ।।......
ସାହିତ୍ୟର ମହାନାୟକଙ୍କୁ ସମର୍ପିତ........
"ମୁଁ "ମୋର କବିତାଟି ଯୁଗସ୍ରଷ୍ଟା ପ୍ରକୃତି ପ୍ରେମୀ "କବିବର ରାଧାନାଥ ରାୟ"ଙ୍କୁ ସମର୍ପିତ କରୁଅଛି। "କବିବର"ଙ୍କର ଅଧକାଂଶ ସୃଷ୍ଟିର" ପ୍ରକୃତି"କୁ ସେ ଜୀବନ୍ୟାସ ଦେଇ ସୃଜନଶୀଳତାର ଅପୂର୍ବ ନିଦର୍ଶନ ଦେଇଛନ୍ତି । ଓଡ଼ିଆ ସାହିତ୍ୟକୁ ତାଙ୍କର ଦାନ ଅତୁଳନୀୟ ।ଅନେକ କାବ୍ୟ,କବିତା ପ୍ରବନ୍ଧ, ନାଟକ ରଚନା କରି କବି ଜଗତରେ ଏକ ଅମ୍ଲାନ ସ୍ଥାନ ଗ୍ରହଣ କରି ସମସ୍ତଙ୍କ ହୃଦୟକୁ ଜିଣି ପାରିଛନ୍ତି। ସେହିପରି ଜଣେ ଚିର ନମସ୍ୟ ପ୍ରତିଭାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି,କୋଟିକୋଟି ପ୍ରଣାମ।