ବର୍ଷା
ବର୍ଷା


ଭୂଦେବୀ ପୂଜିଲି ଚିତଉକୁ ନେଇ
ବୃଷାଙ୍କୁ ବରିଲି ଦେଇ ଚନ୍ଦନ ।
କେଦାର ହିଡେ ଦୁବଚାଉଳ ଦେଇ
କହିଲି ହେ ବର୍ଷା ରହିଲା ରାଣ ।।
ଆଷାଢ଼ ଯାଇକି ଶ୍ରାବଣ ସରୁଛି
କିମ୍ପା ଏତେ ଡେରି ଆସିବା ତୁମ ?
ମନ ପୋଡି ଯାଏ ବୁକୁ ଫାଟି ଯାଏ
ମେରୁଦଣ୍ଡ ଯିଏ ଦେଶର ଆମ ।।
ତଳିଘରାଟିର କି ଦଶା କହିବି
ମାଟି ଫାଟି ଯେବେ ଆଁ ଟି କରେ ।
ତରୁ ଘନବଲ୍ଲୀ ବଞ୍ଚିକି ଅଛନ୍ତି
ପୁଷ୍କରକୁ ଝୁରି ନୀରସ ମୁଖେ ।।
ବେଙ୍ଗେଇ ନାନୀ ଗଛ ମୂଳେ ରହି
ଅନାଇ ରହୁଛି ତଵ ପଥକୁ ।
p>ଖଦ୍ୟୋତର ଖେଦ ନ କହିବା ଭଲ
ଲୁଚାଉଛି ମୁହଁ ଜନ ଜାତିକୁ ।।
ବର୍ଷ ଆରମ୍ଭରୁ ପିଲାଏ ପଢ଼ନ୍ତି
ବରଷା କବିତା ଅତି ସରାଗେ ।
ଖୋଜନ୍ତି ଚିତ୍ରକୁ ନିଜ ପରିବେଶେ
ନ ମିଳଇ ତାହା ତୁମ ବିଳମ୍ବେ ।।
ଛାଡି ରାଗରୁଷା ଆସ ତୁମେ ବର୍ଷା
ସଜାଇଦିଅ ହେ ଧରଣୀ ଦିହ ।
ଧନ ସମ୍ପଦରେ ଭରିଦିଅ କୋଳ
ଦେଇ ହାରୀ ସୁଖ ଜୀବଙ୍କ କୋହ ।।
ଘଣ୍ଟାପଥୁ ମୁହିଁ ଜଗି ବସିଅଛି
ପାଛୋଟି ନେବି ମୁଁ ମୋ ପୁରକୁ ।
ହସିବ ଜଗତ ହସିବ ମୋ ଧରା
ଗାଇ ତୁମ ଗୁଣ କାଳ କାଳକୁ ।।