ବରଷା ସାଜିଛି ବଇରୀ ଆଜି
ବରଷା ସାଜିଛି ବଇରୀ ଆଜି
ବରଷା ସାଜିଛି ବଇରୀ ଆଜି
ସବୁ ଆଖି ନିଦ ଯାଇଛି ହଜି
କ୍ଷେତ ଭୂଇଁ ଶୁଖି ପଡିଆ ପଡିଛି
ହତାଶେ ବସିଛି ଚାଷୀଟି ଆଜି ।
ଆଷାଢ ଯାଇ କି ଶ୍ରାବଣ ହେଲା
ନା ଆକାଶରୁ ପାଣି ଝରିଲା
ହୁତୁ ହୁତୁ ଆଜି ଜଳୁଅଛି ମହୀ
ମୌସୁମୀ ଆସି କି ଯାଇଛି ହଜି।
ବରଷା ସାଜିଛି ବଇରୀ ଆଜି ।
ଯୁଆଡେ ଦେଖିଲେ ଟାଙ୍ଗରା ଭୂଇଁ
ଉତ୍ତାପେ ମୁଣ୍ଡଟି ମାରୁଛି ଝାଇଁ
ଡହଳ ବିକଳ ସବୁ ଜୀବଜନ୍ତୁ
ସଭିଁଙ୍କ ଜୀବନ ପଡିଛି ବାଜି ।
ବରଷା ସାଜିଛି ବଇରୀ ଆଜି ।
ମେଘକୁ ମଣିଷ ଗାଳି କରୁଛି
କପାଳକୁ ଠୁକି ଭାଗ୍ୟ ନିନ୍ଦୁଛି
ଏଥିପାଇଁ ନିଜେ ଦାୟୀ ସିଏ ହେଇ
ଏଇ କଥା ମନୁ ଦେଇଛି ତେଜି ।
କହେ ବର୍ଷା ସାଜେ ବଇରୀ ଆଜି ।
ରୋପିବା ବୃକ୍ଷକୁ ସିଏ କାଟିଛି
ପରିବେଶ ନିଜେ ନଷ୍ଟ କରିଛି
ଜଙ୍ଗଲ ନ ଥିଲେ ବରଷା ତ ନାହିଁ
ଏଇ କଥା ଜାଣି ଅଛପା ଆଜି
ବରଷା ସାଜିଛି ବଇରୀ ଆଜି ।
ନିଜ ସ୍ବାର୍ଥେ ନର ଆଜି ଚାଲୁଛି
କଳକାରଖାନା ସୃଷ୍ଟି କରୁଛି
ବିଷାକ୍ତ ଅଙ୍ଗାରକାମ୍ଳ ବଢିଅଛି
ବରଷା ସେଥିରେ ପଡିଛି ବାଜି
କହେ ବର୍ଷା ସାଜେ ବଇରୀ ଆଜି ।
ନିଜ ଗୋଡେ ନିଜେ କୁରାଢୀ ମାରେ
ଆକାଶକୁ ଚାହିଁ ବରଷା ଝୁରେ
ଏଇତ ମଣିଷ ବୃକ୍ଷର ରାକ୍ଷାସ
ଧ୍ୱଂସ କରି ନିଜେ ପଡିଛି ବାଜି ।
ବରଷା ସାଜିଛି ବଇରୀ ଆଜି ।
ଯଦି ଏ ମାନବ ନ ସୁଧୁରିବ
ନିଜ ପାଇଁ ନିଜେ କାଳ ସାଜିବ
ତା ପାଇଁ ତ ଏଇ ସୃଷ୍ଟି ନଷ୍ଟ ହେଇ
ଧ୍ୱଂସ ହେଇଯିବ ପ୍ରକୃତିରାଜି ।
ବରଷା ସାଜିଛି ବଇରୀ ଆଜି ।
