STORYMIRROR

SARATA KUMAR DAS

Comedy Others

4  

SARATA KUMAR DAS

Comedy Others

ବର୍ଷା ପଡିଲାଣି ଟୁପୁରୁ ଟୁପୁରୁ

ବର୍ଷା ପଡିଲାଣି ଟୁପୁରୁ ଟୁପୁରୁ

1 min
300

ବର୍ଷା ପଡିଲାଣି ଟୁପୁରୁ ଟୁପୁରୁ

         ବେଙ୍ଗ ବାଜାଉଛି ବାଜା

ସାରୁଗଛ ମୂଳେ ଜମିଛି ଆସର

          ଚଉଦିଗ ସାଜ ସଜା  ।।


ଚାରିଆଡେ ଶୁଭେ କିଚିରି ମିଚିରି

          ଘଡ ଘଡ କେଁ କଟର 

ପାଣି କାଦୁଅରେ ସର ସର ଦେହ

         ବେଙ୍ଗୁଲୀର ବାହାଘର ।।


ମେଘ ରାଇଜରୁ ଆସିଛି ବରଷା 

        ପିନ୍ଧି କଳାମେଘୀ ପାଟ

ନିଗିଡି ପଡୁଛି ଚନ୍ଦନର ଟୋପା

        ଦେଖାଉଛି କେତେ ଥାଟ  ।।


ବିଜୁଳି ଚମକେ ଚିକିମିକି ଧରା

          ଘଡଘଡି ମାରେ ରହି

ବଣ, ବିଲ, ନଈ ,ପାହାଡ, ପର୍ବତ

          କି ସୁନ୍ଦର ଲାଗେ ମହୀ  ।।


ମେଘୁଆ ଆକାଶେ ଇନ୍ଦ୍ରଧନୁ ଆସେ

            ସାତରଙ୍ଗ ଦିଏ ବୁଣି

ଲୁଚକାଳି ଖେଳେ ଖରା ଛାଇ ମେଳେ

           ମନ ନିଏ କେତେ କିଣି  ।।


କିଆ କେତକୀର ମହମହ ବାସ

         ମଲ୍ଲୀ ମାଳତିର ଶୋଭା

ରଙ୍ଗ ବେରଙ୍ଗର ଫୁଲ ,ଫଳ, ପତ୍ର 

         ସତେ କି ସେ ମନଲୋଭା !!


ଚାଷୀଭାଇ ଆମ ଗାଇଲେଣି ଗୀତ

          କ୍ଷେତ ହସେ ରହି ରହି

ଆହାର ବାଣ୍ଟିବେ ସାରା ଜଗତକୁ

           ଦୁଃଖ ଯିବ ଦୂର ହୋଇ ।।


ଘାସ ଗାଲିଚାରେ ଧୀରେ ଧୀରେ ଚାଲେ 

            ପିନ୍ଧି ପାଦେ ନାଲି ଗାର

ନାଲି ଟୁକୁ ଟୁକୁ ସାଧବ ବୋହୂ ସେ 

            ପାଣିରେ କରିଛି ଘର  ।।


ରଥଯାତ ପୁଣି ଗଣେଶ ଚତୁର୍ଥୀ

          ରାକ୍ଷୀବନ୍ଧା କେତେ ମଜା

ସଭିଏଁ ହସିବା ହସି ହସାଇବା

          ବରଷାର ନେବା ମଜା  ।।


ରହି ରହି ବହେ ଶୀତୁଆ ପବନ

          ଦେହ ଲାଗେ ଝାଇଁ ଝାଇଁ

ମା' ହାତ ଛଙ୍କା ପକୋଡିର ମଜା

          ମନ ହୁଏ ହାଇଁ ପାଇଁ  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy