STORYMIRROR

CHINMAYEE PRADHAN

Classics Fantasy Thriller

3  

CHINMAYEE PRADHAN

Classics Fantasy Thriller

ବର୍ଷା ଆସିଲା

ବର୍ଷା ଆସିଲା

1 min
161


ଶୁଷ୍କ ଭୂମିରୁ ବାସ ଛୁଟିଲା

ମାଟିରେ କେ ମହକ ଭରିଲା, 

ଚାହିଁ ଦେଖିଲି ମୁଁ ବାହାରକୁ

କଳା ମେଘର ଓଢ଼ଣୀ ଟାଣି

ବର୍ଷା ଆସିଲା ବର୍ଷା ଆସିଲା। 


ଘୋର ଗର୍ଜନ ଆକାଶେ ଶୁଭିଲା

ରହି ରହି କି ଅଶନି ଡାକିଲା,

ଚାହିଁ ଦେଖିଲି ଦୂର ଗଗନକୁ

ଚଞ୍ଚଳା ଚପଳା ସାଥିରେ ନେଇ

ବର୍ଷା ଆସିଲା ବର୍ଷା ଆସିଲା।


ଆନନ୍ଦ ମନେ ପୁଚ୍ଛ ମେଲିଲା

ବନାନୀ କୋଳେ ଶିଖୀ ନାଚିଲା,

ଚାହିଁ ଦେଖିଲି ଦୂର କାନନକୁ 

ନବ ପଲ୍ଲବ ସାଥିରେ ନେଇ 

ବର୍ଷା ଆସିଲା ବର୍ଷା ଆସିଲା। 


ସାରୁଗଛ ମୂଳେ ଭେକ ରାବିଲା 

ଛତ୍ର ମେଲିଣ ଛତୁ ଫୁଟିଲା, 

ଚାହିଁ ଦେଖିଲି ଯେ ମୁହିଁ ମାଟିକୁ 

ସାଧବ ବୋହୂ ସାଥିରେ ନେଇ 

ବର୍ଷା ଆସିଲା ବର୍ଷା ଆସିଲା। 


ଇନ୍ଦ୍ରଦେବଙ୍କ କରୁଣା ହେଲା 

ନଦୀ ପୋଖରୀ ପୂରି ଉଠିଲା, 

ଚାହିଁ ଦେଖିଲି ଯେ ମୁହିଁ ଜଳକୁ 

ନୀଳ କୁମୁଦ ସାଥିରେ ନେଇ 

ବର୍ଷା ଆସିଲା ବର୍ଷା ଆସିଲା। 


ସ୍ତୁପିକୃତ ମେଘ ନଇଁ ଆସିଲା 

ପାହାଡ଼ ଛାତିରେ ନାଚି ଉଠିଲା,  

ଚାହିଁ ଦେଖିଲି ଦୂର ପର୍ବତକୁ 

ସୁନ୍ଦର ସୁଷମା ସାଥିରେ ନେଇ 

ବର୍ଷା ଆସିଲା ବର୍ଷା ଆସିଲା।


ବିଲ ହୁଡାରେ ବଗ ବସିଲା

ଚାଷୀ ବାପୁଡା ବିଲ ଚଷିଲା,

ଚାହିଁ ଦେଖିଲି ମୁଁ ଦୂର ବିଲକୁ

ଗଜାଧାନକୁ ସାଥିରେ ନେଇ

ବର୍ଷା ଆସିଲା ବର୍ଷା ଆସିଲା।


ବାଡିରେ ଜହ୍ନିଫୁଲ ହସିଲା

କାକୁଡି ଫୁଲ ତାକୁ ଡାକିଲା, 

ଚାହିଁ ଦେଖିଲି ମୁଁ ବାଡି ଆଡକୁ 

ଫୁଲଫଳକୁ ସାଥିରେ ନେଇ 

ବର୍ଷା ଆସିଲା ବର୍ଷା ଆସିଲା। 


ଗାଆଁ ଦାଣ୍ଡରେ ପାଣି ଚାଲିଲା 

କାଗଜ ଡଙ୍ଗା ଭାସି ଉଠିଲା, 

ଚାହିଁ ଦେଖିଲି ମୁଁ ଗାଆଁ ଦାଣ୍ଡକୁ 

ବୁଦ୍ ବୁଦ୍ ମାଳ ସାଥିରେ ନେଇ 

ବର୍ଷା ଆସିଲା ବର୍ଷା ଆସିଲା।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics