ବରଷା ଆସିଛି
ବରଷା ଆସିଛି
ଦେଖ ଭିଡିମୋଡି
ହେଲାଣି ଶୁଖିଲା ନଈ
ଉଚ୍ଛୁଳି ଆଚ୍ଛୁଳି
ଯିବ ବୋଲି ବେଗେ ବହି
ବହେ ଧୀରେ ଧୀରେ
ଥଣ୍ଡା ମଉସୁମୀ ବାଆ
ହସହସ ଦିଶେ
ନୀରସ ପୃଥିବୀ ମାଆ
ଦାରୁଣ ନିଦାଘ ପରେ
ବରଷା ଆସିଛି ଋତୁମତୀ ଧରା
ଭିଜା ମାଟି ମହକରେ ।
ଡାକେ ଘଡଘଡି
ମେଘୁଆ ଆକାଶ ତଳେ
ବିଜୁଳି ଝରାରେ
ହୀରକର ହାର ଜଳେ
ଶୁଭେ ଟପଟପ
ନୂପୁର ଶବଦ ସୁର
ନୂଆ ଚେହେରାରେ
ଶୋଭା ପାଏ ପଲ୍ଲୀ ପୁର
ଦାରୁଣ ନିଦାଘ ପରେ
ବରଷା ଆସିଛି ସାଧବବୋହୂର
ନାଲି ପାଟ ପଣତରେ ।
ସରିସରି ଆସେ
ପଦୁଅଁର ଦିନ କାଳ
ଉଠେ ଗଛଲତା
ପାଚେ ଜାମୁକୋଳି, ତାଳ
ସପନ ତା' ଭାଙ୍ଗି
କୁଆଁରୀ କଦମ୍ବ ଉଠେ
ମାଧବୀ,ମାଳତୀ
ଯୁଇ,ଜାଇ,ଚମ୍ପା ଫୁଟେ
ଦାରୁଣ ନିଦାଘ ପରେ
ବରଷା ଆସିଛି ସାରୁ ଗଛ ପାଣି
ଢଳଢଳ ପତରରେ ।
ଦିଶିଯାଏ ନଭେ
ସାତରଙ୍ଗୀ ଇନ୍ଦ୍ରଧନୁ
କାଗଜର ଡଙ୍ଗା
ଗଢନ୍ତି ମିତାଲି,ମନୁ
ବିଲରେ ଚାଷୀର
ଲାଗିଯାଏ କାମ କେତେ
ତଳିପକା,ରୁଆ
ବେଉଷଣ ଆଦି ଯେତେ
ଦାରୁଣ ନିଦାଘ ପରେ
ବରଷା ଆସିଛି ଗାଆଁ ନୁଆଁଣିଆ
ନଡା ଚାଳ ଛପରରେ ।
ଅନାବନା ଘାସ
ପଡିଆରେ ଯାଏ ଭରି
ମୟୂର ନାଚଇ
କଳାମେଘ ଦେଖିକରି
ଆସଇ ଝୁଲଣ
ଆସେ ରଜ,ରଥଯାତ
ଡହଡହ ଖରା
ପଡି ତ ଗଲାଣି ଶାନ୍ତ
ଦାରୁଣ ନିଦାଘ ପରେ
ଧରାକୁ ବରଷା ଆସିଛି ଓହ୍ଲାଇ
ଖୁସି ଏବେ ଘରେ ଘରେ ।