ବର୍ଷ ବିଦାୟ
ବର୍ଷ ବିଦାୟ


ବହୁ ହୋଇଗଲା ଆରେ ବରଷ ଚବିଶି l
ଅନ୍ତିମ ଦିନ, ତୋହର ପହଞ୍ଚିଲା ଆସି ll
ବାନ୍ଧିନିଅ ଏବେ ତୋର ଆସବାବ ପତ୍ର l
ପ୍ରସ୍ଥାନ କର ତୁ ଶୀଘ୍ର ଶୀଘ୍ର ଯତ୍ର ତତ୍ର ll
ସବୁ ବିପଦକୁ ତୋର ସଙ୍ଗେ ନେଇଯିବୁ l
ସୁଖ ଓ ସମ୍ପଦ ମାନ ଛାଡ଼ି ଦେଇ ଯିବୁ ll
ଅବଶ୍ୟ କହିବୁ ଆମ୍ଭେ ତେଇଶିର ବ୍ୟଥା l
ଚବିଶି ଟିକିଏ ନିଶ୍ଚେ ନୋଇଁ ଅଛି ମଥା ll
ପଚିଶିକୁ ନିଶ୍ଚେ ଶୁଭ ସନ୍ଦେଶ ତୁ ଦେବୁ l
ନିଶ୍ଚୟ ସଙ୍ଗେ ଆଣିବ, ଖୁସି ଓ ଖୁସୁବୁ ll
କାଳର ଗତିକୁ କିଏ ରୋକିପାରେ ଭାଇ l
ସୁଖେ ଦୁଃଖେ ନିରନ୍ତର ଯାଉଅଛି ବହି ll
ସୀମା ହୀନ, ଅନନ୍ତ ଏ ବଳିୟାର କାଳ l
କାଳ ଗର୍ଭେ ବସ୍ତୁ ସର୍ବେ ହୁଅନ୍ତି କବଳ ll
କାଳକୁ ମାପିବା ପାଇଁ ପ୍ରୟାସୀ ମଣିଷ l
ଭିଆଣ ଏ ଦିନ,ଦଣ୍ଡ, ଘଣ୍ଟା,ମାସ ବର୍ଷ ll
ଘଣ୍ଟାକଣ୍ଟା ଚାଲି କହେ ଟିକ, ଟିକ,ଟିକ l
କାର୍ଯ୍ୟକର ବେଳଥାଉଁ ସବୁ ଠିକ ଠିକ ll
କାଳକୁ ବୃଥାରେ ଆଳ ଦେଉଅଛୁଁ ଭାଇ l
ଚବିଶ ପରେ ପଚିଶି ଆସିବରେ ଧାଇଁ ll
ସର୍ବେ ବସିଅଛୁ ଆମ୍ଭେ ତାର ପଥ ଚାହିଁ l
ସ୍ୱାଗତମ୍ ପଚିଶକୁ ଚବିଶି ବଧାଇ ll