ବୃକ୍ଷ
ବୃକ୍ଷ
ଦିନେ ମନ ପକ୍ଷୀ ଉଡି ଉଡି ଯାଇ
ବସି ଗଲା ବୃକ୍ଷପରେ
ବୁଝିବା ପାଇଁକି ମନ ତା ଚାହିଁଲା
ବୃକ୍ଷର ମହତ୍ତ୍ଵ ଥରେ ।
ଜୀବନ ବୀଜଟି ଅଙ୍କୁରିିତ ହୋଇ
ଯେବେ ହୁଏ ଦୁଇ ପତ୍ର
ଗୋଟିଏ ବିଶ୍ୱାସ ଅନ୍ୟଟି ସାହାସ
ଦୁଇ ଦିଗେ ଦୁଇ ପାତ୍ର ।
ବେନି ବାହୁ ପରି ଭୁଜକୁ ପ୍ରସାରୀ
ଆଉ ଚାରି ପତ୍ର ହେଲା
ମୂଳ ଦୁଆ ଧରି ଶାଖା ପ୍ରଶାଖା ଯେ
ଆକର୍ଷଣେ ମୋହି ନେଲା ।
ଲୋଭ ମାୟା ଅହଂ କେତେ ଯେ ବିହଙ୍ଗ
ତୋଳିଲେ ସୁନ୍ଦର ନୀଡ
ସତ୍ୟ ପକ୍ଷୀ ଯେବେ ଠାବ ପାଇଁ ଖୋଜେ
ପକାଇ ଦେଲେ ପହଡ ।
ଘୁରି ବୁଲିଲା ସେ ଶାଖା ପ୍ରଶାଖାକୁ
ଗହଳ ପତର ପାଇଁ
କେଉଁଠି ଛିଦ୍ର ତ କେଉଁଠି ମଇଳା
ଶୁଦ୍ଧ ସ୍ଥାନ ଟିକେ ନାହିଁ ।
ହରି ନାମ ଧରି ପଥ ଖୋଜୁ ଥାଏ
ଅନ୍ତେ ଦୃଶ୍ୟ ହୁଏ ରାହା
ଅଙ୍କା ବଙ୍କା ସେତ ଭରା କଫ ବାତ
ବହେ ପ୍ରଭଞ୍ଜନ ବା ।
ପତ୍ର ଝଡ ଋତୁ ଝାଡି ଦେଲା ପତ୍ର
ଭାଙ୍ଗିଲା ଲୋଭର ବସା
ବୃକ୍ଷ କୋରଡରୁ ସତ୍ୟ ଦେଖୁ ଥିଲା
ପୂର୍ଣ୍ଣ କରି ସବୁ ଆଶା ।
